ଝାରସୁଗୁଡ଼ା:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ଗଡ଼ ହାତେଇବା ପାଇଁ ଉଭୟଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଟାର୍ଗେଟରେ ରହିଛି ୯ଟି ଜିଲ୍ଲା ପରିଷଦ ଆସନ । ଶାସକ ଦଳ ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।
ବିଜେପି ଅତାବିରା ଏବଂ ଭେଡେନର ସମୁଦାୟ ୬ଟି ଜୋନ ସମେତ ଝାରସୁଗୁଡ଼ାରେ ମଧ୍ୟ କେତେକ ସ୍ଥାନରେ ତାର ପ୍ରଚାର କରିବା ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବିଜେଡ଼ି ଅଭିଯୋଗ ଆଣିଥିଲା । ତେବେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ଜବାବ ରଖିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ସେ ସିଧାସଳଖ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ସାଂସଦ ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ।
ସେ ବିଜେଡି଼ ଦଳର ମୁଦ୍ଦାକୁ ସମାଲୋଚନା କରିଛନ୍ତି । ବିଗତ ଦିନରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି ତ୍ରିପାଠୀ । ତେବେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଭୋଟର ନିଶ୍ଚିତ ଭାବେ ଏହାର ଜବାବ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ବିଜେପି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି ।