ଝାରସୁଗୁଡା: ପୁତୁରାର କଟୁରୀ ଆକ୍ରମଣରେ ମଉସାର ମୃତ୍ୟୁ ହୋଇଥିବା ଘଟଣା । ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଓ ଏକାତାଲି ଅଞ୍ଚଳରେ ବେଆଇନ ମଦ ବିକ୍ରି ଯୋଗୁଁ ହିଂସାକାଣ୍ଡ ଘଟୁଥିବାରୁ ଏହାକୁ ବିରୋଧ କରି ଆଜି ସ୍ଥାନୀୟ ମହିଳାମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, ଝାରସୁଗୁଡା ସଦର ଥାନା ଅଞ୍ଚଳରେ ଗତ ଶନିବାର ଦିନ ସାମାନ୍ୟ କଥାକୁ କେନ୍ଦ୍ରକରି ମଉସାକୁ ହତ୍ୟା କରିଥିଲା ପୁତୁରା। ମଉସା ସହ ତାଙ୍କ ଦୁଇ ପୁତ୍ରକୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲା । ତେବେ ଏହି ଜଘନ୍ୟ କାଣ୍ଡ ଘଟିବାରୁ ଆଖପାଖ ଅଞ୍ଚଳ ସହିତ ବିଟିଏମ୍ ଓ ଏକାତାଲି ଗ୍ରାମବାସୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏଭଳି କାଣ୍ଡ ଘଟିବାର ମୂଳ କାରଣ ବେଆଇନ ମଦ ବ୍ୟବସାୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରାଧୀ ସମାଜର ବ୍ୟକ୍ତିମାନେ ମଦ୍ୟପାନ କରିବା ପରେ ନିଜର ହିତାହିତ ଜ୍ଞାନ ହରାଇ ଏଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି । ତେଣୁ ଏହି ଅସାମାଜିକ ଆଡ୍ଡା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତକାଲି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ମହିଳାମାନଙ୍କ ଅଭିଯୋଗ ଅନୁସାରେ ବିଟିଏମ ଓ ଏକାତାଲି ଅଞ୍ଚଳରେ ବହୁତ ଗୁଡିଏ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି । ଯାହାଦ୍ଵାରା ସେହି ଅଞ୍ଚଳମାନଙ୍କରେ ଅସାମାଜିକ କାର୍ଯ୍ୟ ବଢି ଚାଲିଛି । ଏହାକୁ ନେଇ ଗତକାଲି ସ୍ଥାନୀୟ ମହିଳାମାନେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମଦ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ମୃତ ସୀତାରାମ ବଞ୍ଛୋରଙ୍କ ଝିଅ । ଗତ ଶନିବାର ଦିନ ସାମାନ୍ୟ କଥାକୁ କେନ୍ଦ୍ରକରି ମଉସାକୁ ହତ୍ୟା କରିବ ସହିତ ମଉସାଙ୍କ ଦୁଇ ପୁଅକୁ ହତ୍ୟା ଉଦ୍ୟମ କରିଥିଲା । ଏହାକୁ ନେଇ ଗତକାଲି ମୃତ ସୀତାରାମଙ୍କ ଝିଅ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେହି ଅଞ୍ଚଳରୁ ବାସନ୍ଦ କରିବା ପାଇଁ ନିବେଦନ କରିଛନ୍ତି ।