ଝାରସୁଗୁଡା: ଆସନ୍ତା ସପ୍ତାହରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କୋରୋନା ଟୀକାକରଣ । ଟୀକାର ବ୍ୟବସ୍ଥିତ ବିତରଣ ନେଇ ଆଜି(ଗୁରୁବାର) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ । କିଭଳି ସହରରୁ ଉପାନ୍ତ ଅଞ୍ଚଳକୁ ଟୀକା ପହଞ୍ଚି ପାରିବ, ଟୀକାର ଷ୍ଟୋରେଜ ଓ ବିତରଣ ଉପରେ ବିଶେଷ ଆଲୋଚନା କରାଯାଇଛି । ଏହି ବୈଠକରେ ଯୋଗଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ କିଭଳି ସଠିକ ଉପାୟରେ ଟୀକା ଲୋକଙ୍କ ପାଖରେ ପହଞ୍ଚିପାରିବ ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଲୋଚନା କରିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଜନ ପ୍ରତିନିଧିମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣରେ ସାମିଲ କରିବାକୁ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସାରା ଦେଶରେ ପୁଣି ଥରେ ହେବାକୁ ଥିବା ଟୀକାର ଡ୍ରାଏ ରନ ଉପରେ ଆଲୋଚନା ହୋଇଛି ।