ଝାରସୁଗୁଡା: ସ୍ବଚ୍ଛ ପରିମଳ ଆମ ବିଦ୍ୟାଳୟକୁ ନେଇ ବଡବଡ ଫଳକ ଲଗାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଯେଉଁଠି ଆଖି ବୁଲାଇଲେ ଖାଲି କୁଢ଼କୁଢ଼ ଆବର୍ଜନା । ପାହାଡ଼ ପରି ଗଦା ହୋଇଛି ମଇଳା ବର୍ଜ୍ୟବସ୍ତୁ । ୫ଟିରେ ରୂପାନ୍ତରିତ ହେଲା ସ୍କୁଲ, ହେଲେ ବଦଳିଲାନି ବ୍ୟବସ୍ଥା । ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟକୁ ଆସିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ । ବିଦ୍ୟାଳୟ ସମ୍ମୁଖ ଅଳିଆରେ ଭରପୂର ହୋଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁଖ୍ୟ ଫାଟକରେ ତାଲା ପକେଇଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ପୌରପରିଷଦକୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।
କିଛି ଦିନ ପୂର୍ବରୁ ଅପରିଷ୍କାର ପରିବେଶ ଯୋଗୁଁ ଝାରସୁଗୁଡ଼ା ପୌରାଞ୍ଚଳ ଦେବାଡିହି ଅଞ୍ଚଳରେ ଡାଇରିଆ ବ୍ୟାପିଥିବା ନଜର ଆସିଥିଲା । ଏବେ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅଳିଆ ଗଦା ହୋଇଛି । ଫଳରେ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପୌରପରିଷଦକୁ ଅଭିଯୋଗ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । କିନ୍ତୁ ପୌରପରିଷଦର ନଜର ନାହିଁ । ଯାହାଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ।