ଝାରସୁଗୁଡା:କଥାରେ ଅଛି ସରକାର୍ କା ମାଲ ଦରି ଆମେ ଡାଲ୍, ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାର କୋଲାବିରା ପଞ୍ଚାୟତ ସମିତି ମହାବିଦ୍ୟାଳୟ(Kolabira Panchayat Samiti College ) ପରିସରରେ । ଏଠାରେ ଥିବା ଆଦିବାସୀ ଛାତ୍ରୀ ନିବାସ(Tribal Ladies Hostel) ଯେମିତି ଭୂତକୋଠୀ ପରି ମନେ ହେଉଛି । ହଷ୍ଟେଲ ଗୃହର ଚଟାଣ ,କାନ୍ଥ ଗୁଡିକ ଭାଙ୍ଗିରୁଜି ଯାଇଥିବାବେଳେ ପାଣି, ଶୌଚାଳୟ, ବିଦ୍ୟୁତ ପାଚେରୀ ମଧ୍ୟ ନାହିଁ l
୨୦୦୧ ମସିହା ମାର୍ଚ୍ଚ ୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହେମାନନ୍ଦ ବିଶ୍ୱାଳ ଓ କୋଲାବିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ହୀରାଲାଲ ପ୍ରଧାନଙ୍କ ସହିତ ଅଞ୍ଚଳର ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଉଦଘାଟନ ହେଇଥିଲା ଏହି ଛାତ୍ରୀନିବାସ । ଏଥିପାଇଁ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଧ୍ୟ ହୋଇଥିଲା । କିନ୍ତୁ ଉଦଘାଟନୀକୁ ଇତି ମଧ୍ୟରେ ୨୧ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଛାତ୍ରୀନିବାସ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଇପାରିନାହିଁ । ବର୍ତ୍ତମାନ ଏହି ଛାତ୍ରୀନିବାସ ବ୍ୟବହାର ଉପଯୋଗୀ ହେଇନଥିବାରୁ ନୂତନ ଛାତ୍ରୀନିବାସ ନିର୍ମାଣର ଏବେ ଆବଶ୍ୟକ ହୋଇପଡିଛି ।
ଖତ ଖାଉଛି ଆଦିବାସୀ ଛାତ୍ରୀନିବାସ, ନିର୍ମାଣର ୨୧ ବର୍ଷ ପରେବି ହୋଇନି କାର୍ଯ୍ୟକ୍ଷମ ଏହା ମଧ୍ୟ ପଢନ୍ତୁ-ହଳଦିପଦା ବାଇପାସରେ ଓଲଟିଲା ତୀର୍ଥଯାତ୍ରୀ ବସ, ବଡ ବିପଦରୁ ବର୍ତ୍ତିଲେ ଯାତ୍ରୀ
ବର୍ତ୍ତମାନ ଅନଲାଇନ ଆଡମିଶନ ଯୋଗୁଁ ବାହାର ଜିଲ୍ଲାରୁ କୋଲାବିରା ପଞ୍ଚାୟତ ସମିତି ମହାବିଦ୍ୟାଳୟକୁ ଛାତ୍ରୀମାନେ ପାଠ ପଢ଼ିବା ପାଇଁ ଆସୁଛନ୍ତି । କିନ୍ତୁ ହଷ୍ଟେଲ ସୁବିଧା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେଇ ଅବହେଳା କରି ଚାଲିଥିବାରୁ ସ୍ଥାନୀୟ ଛାତ୍ରଛାତ୍ରୀ, ଅଭିଭାବକ, ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏନେଇ ମହାବିଦ୍ୟାଳୟ ପ୍ରିନ୍ସିପାଲ ସୁଶୀଲ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, "୨୦୦୧ ମସିହାରେ ଏହି ଛାତ୍ରୀନିବାସ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏକ ବର୍ଷ ପରେ ଏହାର କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେରହିଥିବାରୁ ନୂତନ ଛାତ୍ରୀନିବାସର ଆବଶ୍ୟକ ରହିଛି । ଏହି କଲେଜ ୩୦ ବର୍ଷର କଲେଜ ହୋଇଥିବାବେଳେ କିଛି ଆଖିଦୃଷ୍ଚିଆ ପଦକ୍ଷପ ନିଆଯାଇ ନାହିଁ ।"
ଏନେଇ କଲେଜର ଛାତ୍ରୀ ଭାଗ୍ୟବତୀ ଓରାମ କହିଛନ୍ତି ଯେ, ''ଆମେ ପ୍ରତିଦିନ କଲେଜକୁ ଦୂରଦୂରାନ୍ତରୁ ଆସୁଛି, ଏନେକ ସମୟରେ ଅସୁବିଧା ମଧ୍ୟ ହେଉଛି । ଯଦି ହଷ୍ଟେଲର ସୁବିଧା କରାଯାଆନ୍ତା ତେବେ ଭଲ ହୁଅନ୍ତା ।"
ଇଟିଭି ଭାରତ, ଝାରସୁଗୁଡା