ଝାରସୁଗୁଡା:ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀଙ୍କୁ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କର୍ମଚାରୀମାନେ କିଭଳି ସେମାନଙ୍କର କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ ସେଥି ପାଇଁ ଦିଆଯାଇଛି ପ୍ରଶିକ୍ଷଣ । ଏହି ପ୍ରଶିକ୍ଷିତ ମାଷ୍ଟର ଟ୍ରେନରମାନେ ପର୍ଯ୍ୟାୟ କ୍ରମେ ଅନ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବେ । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ରାଜ୍ୟ ଯୁଗ୍ମ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ ସତର୍କତା ଅବଲମ୍ବନ ପୂର୍ବକ ଦାୟିତ୍ୱ ନିର୍ବାହ ପାଇଁ ପରାମର୍ଶ ଦିଆଯାଇଛି । EVM ଓ ଭିଭିପାଟ ସୁରକ୍ଷିତ ଭାବରେ ଷ୍ଟ୍ରଙ୍ଗ୍ ରୁମ୍ରେ ରଖିବା, CCTV ସଂଯୋଗ, ଭୋଟଗ୍ରହଣ ପାଇଁ ଆନୁସଙ୍ଗିକ ସାମଗ୍ରୀର ତାଲିକା ପ୍ରସ୍ତୁତି ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ଯଥା ସମୟରେ ହସ୍ତାନ୍ତର, ଭିଭିପାଟ ମେସିନ ସହ ବେଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟର ସଂଯୋଗ, ଭୋଟ ସାମଗ୍ରୀ ବିତରଣ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥାର ମ୍ୟାପ୍ ପ୍ରଦର୍ଶନ, ମତଦାନ ଦିନ ଓ ପୂର୍ବରୁ ମତଦାନ ଗ୍ରହଣ କରାଯାଉଥିବା କକ୍ଷରେ ଆନୁସଙ୍ଗିକ ବ୍ୟବସ୍ଥା ଓ ଛାୟା ଭୋଟ(ମକ୍ ପୋଲ ) ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ସେହିପରି ପ୍ରିଜାଇଡିଂ ତଥା ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ପୋଲିଂ ଅଧିକାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱାଣେ ଯୋଗ ଦେଇଥିଲେ । ଏଥିସହ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ ନିଜ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ତ୍ରୁଟିଶୂନ୍ୟ ଭାବରେ ନିଜନିଜ ଦାୟିତ୍ୱ ତୁଲାଇବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟପଟେ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ପ୍ରତ୍ୟେକ ପୋଲିଂ ପାର୍ଟି ପାଇଁ ମେଡ଼ିସିନ କିଟ୍ ସହ ଓଆରଏସ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରମାନେ ମାଷ୍ଟର ଟ୍ରେନର ଭାବରେ ପ୍ରଶିକ୍ଷଣ ନେଇଥିଲେ । ଆଇନ ଉଲଂଘନକାରୀଙ୍କ ପ୍ରତି ଦଣ୍ଡବିଧାନର ବିଭିନ୍ନ ଧାରା ସମ୍ପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ନିର୍ବାଚନ ପରିପ୍ରେକ୍ଷୀରେ କଣ କରାଯିବ ଓ କଣ କରା ନଯିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷିତ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଝାରସୁଗୁଡା