ଝାରସୁଗୁଡା: ଓଡ଼ିଶାରେ ପ୍ରଥମଥର ଲାଗି ଗଡ଼ିଛି ଦେଶର ସବୁଠୁ ଲମ୍ବା ମାଲଗାଡ଼ି । ଯାହାର ନାଁ ରହିଛି ‘ସୁପର ଆନାକୋଣ୍ଡା’। ଏହି ମାଲଗାଡ଼ିର ଦୈର୍ଘ୍ୟ ୨ କିଲୋମିଟର ଥିବାବେଳେ ଏଥିରେ ୧୭୭ ୱାଗନ ଖଞ୍ଜାଯାଇଛି । ଓଡ଼ିଶାର ବ୍ରଜରାଜନଗର ନିକଟ ଲାଜକୁରାରୁ ରାଉରକେଲା ଷ୍ଟେସନ ମଧ୍ୟରେ ଏହି ମାଲଗାଡ଼ିକୁ ଟ୍ରାକରେ ଗଡ଼ାଇ ଭାରତୀୟ ରେଲୱେ ନୂଆ ରେକର୍ଡ ସ୍ଥାପନ କରିଛି । କମ୍ ସମୟରେ ଅଧିକ ମାଲ ପରିବହନ କ୍ଷେତ୍ରରେ ଏହା ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭିଡିଓ ସେୟାର କରି ଏହାକୁ ‘ସୁପର ଆନାକୋଣ୍ଡା’ ବୋଲି ନାମ ଦେଇଛନ୍ତି । ୨ କିଲୋମିଟର ଲମ୍ବ ବିଶିଷ୍ଟ ଟ୍ରେନ ଟ୍ରାକରେ ଚାଲିବା ଦେଶରେ ପ୍ରଥମ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏହା ଭାରତୀୟ ରେଳ ପାଇଁ ବହୁତ ବଡ଼ ଉପଲବ୍ଧି ବୋଲି ସେ ଟ୍ବିଟ୍ କରିଛନ୍ତି ।