ଝାରସୁଗୁଡ଼ା: ଏନଏଲସି ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟର ପ୍ରଥମ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବକିଶୋର ଦାସ , ବରଗଡ଼ ସାଂସଦ ସୁରେଶ ପୂଜାରୀ , ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଵ, ରେଙ୍ଗାଲି ବିଧାୟକ ନାଉରି ନାୟକ ପ୍ରମୁଖ ବରିଷ୍ଠ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ ପାଇଁ ୧୯,୪୨୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ୧୪୪୭.୧୪ ଏକର ଜମି ମଞ୍ଜୁର ହୋଇଛି ।
ଏହି ଜମି ମଧ୍ୟରେ ଝାରସୁଗୁଡା ଜିଲ୍ଲାର ହିର୍ମା , କୁମ୍ଭାରି , ତରେଇକେଲା , ତୁମ୍ବକେଲା , ଲୁହୁରରେଙ୍କାଛର ଗ୍ରାମ ଅନ୍ତର୍ଭୁକ୍ତ । ଜିଲ୍ଲାପାଳ ଝାରସୁଗୁଡ଼ା ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକଳ୍ପ ସମ୍ପର୍କିତ ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଗ୍ରାମବାସୀ ଯେପରି ନିୟମ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପାଇବେ ସେଥିପ୍ରତି ଯତ୍ନବାନ ହେବାକୁ ଓ ଯଥା ସମ୍ଭବ ପ୍ରଦୂଷଣ ମାତ୍ରା କମ କରିବା ଦିଗରେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ତଥା ଉତ୍ତାରାଞ୍ଚଳ ରାଜସ୍ବ ଆୟୁକ୍ତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।