ଝାରସୁଗୁଡା: ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଦୂରୀକରଣ ପାଇଁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ବରେ ଗଣଧାରଣା ଦିଆଯାଇଛି । ଏହାସହ ବିଜେପି ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ ନିକଟକୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବିଜେପି ପକ୍ଷରୁ କୁହାଯାଇଛି ଯେ, ଓଡିଶାର ଅଧିକାଂଶ ଲୋକେ ନିଜର ଜୀବନଜୀବିକା ପାଇଁ କେବଳ ଚାଷ ଉପରେ ନିର୍ଭରଶୀଳ । ହେଲେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଓ ଚାଷୀଙ୍କୁ ଲୁଟ ତଥା ଶୋଷଣ କରିବା କାରଣରୁ ପଶ୍ଚିମ ଓଡିଶାର ଅଧକାଂଶ ଚାଷୀ ନିଜର ଅମଳ ଧାନ ବିକ୍ରି କରି ପାରିନାହାଁନ୍ତି । ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ି ରହିଥିବାବେଳେ ମିଲରମାନଙ୍କର ଦେଖାନାହିଁ । ଏହିସବୁ ସମସ୍ୟାର ସମାଧାନ ପୂର୍ବକ ଚାଷୀଙ୍କ ନ୍ୟାୟୋଚିତ ଧାନର ବିକ୍ରି ପାଇଁ ଜରୁରୀକାଳୀନ ମଣ୍ଡି ଖେଳାଯାଉ ଓ ମଣ୍ଡିରେ ପଡି ରହିଥିବା ଧାନକୁ ତୁରନ୍ତ ଶୀଘ୍ର ଉଠେଇବା ବ୍ୟବସ୍ଥା କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।
ସେହିପରି ଧାନ ବିକ୍ରିରୁ ବଂଚିତ ହେଉଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣିବାର ବ୍ୟବସ୍ଥା କରନ୍ତୁ, ଚାଷୀଙ୍କ ଅଚଳ ହୋଇ ଯାଇଥିବା ଟୋକନ ଗୁଡିକର ପୁନଃ କାର୍ଯ୍ୟକ୍ଷମ, ଧାନ କ୍ରୟ ସମୟରେ କରାଯାଉଥିବା କଟନୀ ଛଟନୀ ବନ୍ଦ, ସମସ୍ତ ଚାଷୀଙ୍କୁ ବସ୍ତା ଓ ସୁତୁଲି ବାବଦ ପଇସା ପରିବହନ ଖର୍ଚ୍ଚ ପ୍ରଦାନ, ପ୍ରତ୍ୟେକ ମଣ୍ଡିରେ ଭିଭିଭୂମି ପାଇଁ ଆବଶ୍ୟକ ପାଣ୍ଠି ଯୋଗାଣ, 'ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରୁ ବଞ୍ଚିତ ହୋଇଥିବା ଚାଷୀଙ୍କ ତାଲିକା ତୁରନ୍ତ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା, ୧୦ ଏକରରୁ ଅଧିକ ଜମି ଥିବା ଚାଷୀଙ୍କୁ ଟକୋନ୍ ପ୍ରଦାନ କରି ତାଙ୍କ ଧାନକୁ କିଣିବା ପାଇଁ ବ୍ୟବସ୍ଥା କରିବା, ଧାନ କିଣା ପ୍ରକ୍ରିୟାକୁ ସରଳୀକରଣ କରାଯାଉ , ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ଓ କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।