ଝାରସୁଗୁଡା: କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଝାରସୁଗୁଡା ଦେଖିବାକୁ ଯାଉଛି ଉପନିର୍ବାଚନ । ମଇ 10 ତାରିଖରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ମଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ଟିକେଟକୁ ଅପେକ୍ଷା । ଉପନିର୍ବାଚନ ତାରଖ ଘୋଷଣା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାରିଖ ଘୋଷଣା ପରେ ଆହୁରି ଅଧିକ ପ୍ରସ୍ତୁତି କରିଛନ୍ତି 3 ରାଜନୈତିକ ଦଳ । ତେବେ କେଉଁ ଦଳ କାହାକୁ ଟିକେଟ ଦେଉଛି ତାହା ଉପରେ ସମସ୍ତଙ୍କ ନଜର । ବିଶେଷ କରି ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାକୁ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁ଼ଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଜେଡି ଏଠି ସିମ୍ପାଥି କାର୍ଡ ଖେଳିପାରେ । ତେବେ ନବ ଦାସଙ୍କ ପୁଅ ଓ ଝିଅ ମଧ୍ୟରୁ କାହାକୁ ବିଜେଡି ଟିକେଟ ଦେବ ତାକୁ ନେଇ ଚର୍ଚ୍ଚା ।
ନବ ଦାସ ଥିବା ସମୟରେ ଝିଅ ଦିପାଳୀ ଅଧିକାଂଶରେ ବାପାଙ୍କ ସହ ରହୁଥିଲେ । ସଭା ସମିତରେ ଯୋଗ ଦେଉଥିଲେ । ଦଳୀୟ କାର୍ଯ୍ୟରେ ବେଶ ସକ୍ରିୟ ଥିଲେ ଦୀପାଳି । ଉପନିର୍ବାଚନ ନେଇ ବିଜେଡି ଦୀପାଳି ଦାସଙ୍କୁ ଟିକେଟ ଦେବା ଅନୁମାନ କରଯାଉଛି । ସେପଟେ ନବ ଦାସଙ୍କ ପୁଅ ବିଶାଳଙ୍କୁ ବିଜେଡି ପ୍ରାର୍ଥୀ କରିବା ଚର୍ଚ୍ଚା ହେଉଛି । ବାପାଙ୍କ ପରେ ଗାଦିରେ କିଏ ବସିବ ଦୀପାଳି ନା ବିଶାଳ ତାହା ଉପରେ ରାଜ୍ୟବାସୀଙ୍କ ନଜର । ତେବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଛି ।
ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଦୀପାଳି ଦାସ କହିଛନ୍ତି, "ଜାନୁଆରୀ 29 ତାରିଖ ଦିନ ବାପାଙ୍କୁ ହତ୍ୟା ହୋଇଥିଲା । ସେହି ସମାନ ତାରିଖରେ ଆଜି ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆଜି ଆମ ପାଇଁ ଏକ ଦୁଃଖର ଦିନ । ତେବେ ଆଜି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ମୁଖ୍ୟମନ୍ତ୍ରୀଙ୍କ ହାତ ମୁଣ୍ଡ ଉପରେ ଅଛି । ବାପାଙ୍କର ଆଶୀର୍ବାଦ ଅଛି ଆମ ଉପରେ । ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ଆମେ ତାକୁ ସମ୍ମାନ କରିବୁ ।'' ସେହିପରି ନବଦାସଙ୍କ ପୁଅ ବିଶାଳ ମଧ୍ୟ ସମାନ କଥା କହିଛନ୍ତି, ''ବାପାଙ୍କ ଯେତେ ସମର୍ଥକ ଥିଲେ ସେମାନେ ବି ଆମ ସାଙ୍ଗରେ ଅଛନ୍ତି । ଆମ ଦୁଃଖ ସମୟରେ ସେମାନେ ଆମ ସହ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ସମର୍ଥନ କରିବୁ ।''