ଓଡିଶା

odisha

ETV Bharat / state

MCL ବିସ୍ଥାପିତ ଗ୍ରାମବାସୀଙ୍କ ନିଯୁକ୍ତି ଓ ଥଇଥାନ ଦାବିରେ ଅନଶନ

ଝାରସୁଗୁଡା ଜିଲ୍ଲାରେ MCL ଦ୍ବାରା ବିସ୍ତାପିତ ହୋଇଥିବା ଗ୍ରାମବାସୀଙ୍କ ଧାରଣା । ନିଯୁକ୍ତି , କ୍ଷତିପୂରଣ ଓ ଥଇଥାନ ଦାବିରେ ଅନଶନରେ ବସିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

By

Published : Jun 30, 2021, 6:38 AM IST

MCL ବିସ୍ଥାପିତ ଗ୍ରାମବାସୀଙ୍କ ଅନଶନ, ନିଯୁକ୍ତି ଓ ଥଇଥାନ ଦାବି
MCL ବିସ୍ଥାପିତ ଗ୍ରାମବାସୀଙ୍କ ଅନଶନ, ନିଯୁକ୍ତି ଓ ଥଇଥାନ ଦାବି

ଝାରସୁଗୁଡା: ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଦର୍ଲିପାଲି ଗ୍ରାମବାସୀ ବନ୍ଧବାହାଲସ୍ଥିତ ଲଖନପୁର ଜିଏମ ଅଫିସ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଯଦି MCL କୋଇଲା ଖନନ ପାଇଁ ଜମି ଅଧିଗ୍ରହଣ କରୁଛି, ଘରଦ୍ବାରକୁ ମାଟିରେ ମିଶାଉଛି ତେବେ ଲୋକଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ କରୁ । ନଚେତ ଲୋକଙ୍କୁ ସେମାନଙ୍କର ଘରଦ୍ବାର ଜମିବାଡି ଫେରସ୍ତ କରୁ ବୋଲି ଦାବି ହୋଇଛି । ଯେପର୍ଯ୍ୟନ୍ତ ଏମସିଏଲ ଆମକୁ ନିଯୁକ୍ତି ଏବଂ କ୍ଷତିପୂରଣ ପ୍ରଦାନ ନକରିବ ସେପର୍ଯ୍ୟନ୍ତ ଆମେ ଅନଶନ ଜାରି ରଖିବୁ ବୋଲି ଅନଶନକାରୀ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

MCL ବିସ୍ଥାପିତ ଗ୍ରାମବାସୀଙ୍କ ଅନଶନ, ନିଯୁକ୍ତି ଓ ଥଇଥାନ ଦାବି

ସେହିପରି ୧୯୯୫ ମସିହାରେ MCL ପକ୍ଷରୁ ହୋଇଥିବା ନିଯୁକ୍ତି ଓ କ୍ଷତିପୂରଣର କଟ୍‌ଅଫ୍ ଡେଟ୍‌କୁ ପରିବର୍ତ୍ତନକରି ୨୦୧୮ ମସିହାରେ ଦର୍ଲ୍ଲାପାଲି ଗ୍ରାମରେ MCL କରିଥିବା ସର୍ଭେ ଅନୁସାରେ ନିଯୁକ୍ତି, କ୍ଷତିପୂରଣ ଏବଂ ଥଇଥାନ କରାଯାଉ ବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତିର ସଭାପତି ବିରଞ୍ଚି ସାହୁ, ଉପଦେଷ୍ଟା ଗୋପୀନାଥ ମାଝୀ ପ୍ରମୁଖ କହିଛନ୍ତି । ଏହି ଅନଶନକୁ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତି, ବିଭିନ୍ନ ରାଜନୈତିକ ଦଳ ଓ ଅନେକ ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ସମର୍ଥନ ଜଣାଇଛନ୍ତି ।

MCL ଖଣି ସମ୍ପ୍ରସାରଣ ଯୋଗୁଁ ଦର୍ଲ୍ଲିପାଲି ଗ୍ରାମକୁ ବିସ୍ଥାପିତ କରାଯାଉଛି । ହେଲେ ଗ୍ରାମବାସୀଙ୍କୁ ଉପଯୁକ୍ତ ନିଯୁକ୍ତି,ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ । ଫଳରେ କୋଇଲା ଖନନ ପାଇଁ ନିଜର ଘରଦ୍ବାର, ଜମିବାଡ଼ି, ଭିଟାମାଟି ହରାଇଥିବା ଲୋକେ ଉପେକ୍ଷିତ ଓ ଅବହେଳିତ ହେଉଛନ୍ତି । ତେଣୁ ଦର୍ଲ୍ଲିପାଲି ଗ୍ରାମବାସୀଙ୍କୁ MCL ସମ୍ପୂର୍ଣ୍ଣ ଭାବରେ ବିସ୍ଥାପିତ କରିବା ପୂର୍ବରୁ ଯୋଗ୍ୟତା ଏବଂ ନିୟମ ଅନୁଯାୟୀ MCL କିମ୍ବା ଏହାର ଅଧିନସ୍ତ କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ସହ ଥଇଥାନ ପାଇଁ ଜମି, ଘର, ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରୁବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ବେଲପାହାଡ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଗତ ୧୯୯୫ ମସିହାରୁ ଦର୍ଲିପାଲି ଗ୍ରାମକୁ ବିସ୍ଥାପିତ କରିବା ପାଇଁ ନୋଟିସ ଜାରି କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମର ଅନେକ ପରିବାରଙ୍କୁ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଏମସିଏଲ ପକ୍ଷରୁ ପ୍ରଦାନ କରାଯାଇନାହିଁ । ପ୍ରଥମେ ଗ୍ରାମବାସୀଙ୍କ ଏହି ସମସ୍ୟାଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ଖଣି ସମ୍ପ୍ରସାରଣ ପାଇଁ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ତଡ଼ିଦେବା ପାଇଁ MCL ଯୋଜନା ଚଲାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେହିପରି MCL କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ଗ୍ରାମ ନିକଟରେ ଥିବା ଖଣିରେ ପ୍ରତିଦିନ ଭାରି ମାତ୍ରାରେ ବ୍ଲାଷ୍ଟିଂ କରୁଛି । ଫଳରେ ଗ୍ରାମବାସୀ ନିଜ ଜୀବନ ସହିତ ସଂଘର୍ଷ କରି ସର୍ବଦା ବିପଦରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ, ନିଯୁକ୍ତି ଓ ଥଇଥାନ ପ୍ରଦାନ କରି ଅନ୍ୟତ୍ର ବିସ୍ଥାପନ କରାଯିବାପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details