ଝାରସୁଗୁଡା:ବିମାନଯାତ୍ରୀଙ୍କ ପାଇଁ ଖୁସିଖବର । ମାର୍ଚ୍ଚ ପହିଲାରୁ ଝାରସୁଗୁଡା ବିମାନବନ୍ଦରରୁ ମାୟାନଗରୀ ମୁମ୍ବାଇକୁ ଉଡାଣ ଆରମ୍ଭ ହେବ । ଏନେଇ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ ଜେଟ୍ର ନୂତନ କାର୍ଯ୍ୟସୂଚୀରେ ଉଲ୍ଲେଖ କରାଯାଇଛି । ସ୍ପାଇସଜେଟର ଘୋଷଣା ପରେ ଏବେ ଠାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ ଟିକେଟ ବୁକିଂ । ସେହିପରି ଦିଲ୍ଲୀକୁ ଆଉ ଏକ ବିମାନ ମଧ୍ୟ ଚଳାଚଳର ବ୍ୟବସ୍ଥା କରାଯାଇଛି।
କାର୍ଯ୍ୟସୂଚୀ ଅନୁଯାୟୀ ବୋଇଂ-୮୦୦ ବିମାନ (ଏସ୍-୧୬୩) ମୁମ୍ବାଇ-ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ସପ୍ତାହକରେ ତିନି ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଚଳାଚଳ କରିବ। ମୁମ୍ବାଇରୁ ଝାରସୁଗୁଡ଼ାକୁ ଅପରାହ୍ନ ୩ଟା ୨୫ ମିନିଟରେ ପହଞ୍ଚିବା ପରେ ୩ଟା ୫୫ ମିନିଟରେ ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରିବ।
ସେହିପରି ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ପ୍ରତ୍ୟେହ ସ୍ପାଇସଜେଟର ଆଉ ଏକ ବିମାନ (ଏସ୍ଜି-୯୯୫) ଚଳାଚଳ ଲାଗି ଉଲ୍ଲେଖ କରାଯାଇଛି । ଯାହାକି ଦିଲ୍ଲୀରୁ ଉଡାଣ ଭରି ଝାରସୁଗୁଡ଼ା ଠାରେ ସନ୍ଧ୍ୟା ୬ଟା ୨୦ ମିନିଟରେ ପହଞ୍ଚିବ । ଏହାପରେ ସନ୍ଧ୍ୟା ୬ଟା ୫୦ରେ ପୁଣି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବ । ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ସ୍ପାଇସଜେଟ ବିମାନ ବୋଇଂ-୮୦୦ (ଏସଜି-୮୯୪୧) ସପ୍ତାହରେ ତିନି ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଚଳାଚଳ କରିବ ।