ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣା ଆଜିକୁ ୮ ଦିନ ପୁରିଛି । ରବିବାର ସ୍ବର୍ଗତ ନବ ଦାସଙ୍କ ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ୍ ଯାଇଛି । ନବଙ୍କ ପୁଅ ବିଶାଲ ଦାସଙ୍କ ସହ ୩ ଜଣ ସମ୍ପର୍କୀୟ ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ୍ ଯାଇଛନ୍ତି । ସେଠାରୁ ଫେରିବା ପରେ ଦଶାହ କାର୍ଯ୍ୟ ଝରସୁଗୁଡାଠାରେ ସମ୍ପନ୍ନ ହେବ । ସେପଟେ ନବଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ କଟକରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଝାରସୁଗୁଡ଼ାରେ ପହଞ୍ଚିଛି ।
ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମନ୍ତ୍ରୀ ବ୍ରଜରାଜନଗର ଯାଉଥିବା ସମୟରେ ଗାନ୍ଧି ଛକଠାରେ ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ନବଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା । ତେବେ ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଏହାରି ଭିତରେ ନବଙ୍କ ମୃତ୍ୟୁକୁ ୮ ଦିନ ପୁରିଛି । ରିତିନୀତି ଅନୁସାରେ ପୁଅ ବିଶାଲ ଦାସ ଓ ୩ ଜଣ ସମ୍ପର୍କୀୟ ନବଙ୍କ ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ ଯାଇଛନ୍ତି । ନବଙ୍କ ସରବାହଲସ୍ଥିତ ବାସଭବନରୁ ବାହାରି ଝରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପ୍ରୟାଗରାଜ ଯାଇଛନ୍ତି । ସେଠାରୁ ଫେରିବା ପରେ ଦଶାହ କାର୍ଯ୍ୟ ଝରସୁଗୁଡାଠାରେ ସମ୍ପନ୍ନ ହେବ ।