ଓଡିଶା

odisha

ETV Bharat / state

ମନ୍ତ୍ରୀଙ୍କ ପୁଅକୁ ଅନୁକମ୍ପା ପଡ଼ିଲା ମହଙ୍ଗା: ମିଛ ରିପୋର୍ଟ ଦେଇ ନିଲମ୍ବିତ ସମାସିଂହା RI - ମିଛ ରିପୋର୍ଟ ଦେଇ ନିଲମ୍ବିତ ହେଲେ ସମାସିଂହା ଆର୍‌ଆଇ

କୋଲାବିରା ତହସିଲ ସମାସିଂହା ରାଜସ୍ୱ ସର୍କଲ ଅଧିନସ୍ଥ ସୋଢାମାଳରେ ଏକ ସରକାରୀ ଜମିକୁ ଲିଜରେ ଦେବା ପାଇଁ ସରକାରଙ୍କୁ ମିଛ ରିପୋର୍ଟ ଦେବା କାରଣରୁ ସୋମବାର ଝାରସୁଗୁଡ଼ା ଜିଲ୍ଲାପାଳ ସମାସିଂହା ଆର୍‌ଆଇ ଜଗଦୀଶ ସାହୁଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ସୋଡ଼ାମାଳ ଜମି କେଳେଙ୍କାରୀ: ମିଛ ରିପୋର୍ଟ ଦେଇ ନିଲମ୍ବିତ ହେଲେ ସମାସିଂହା ଆର୍‌ଆଇ
ସୋଡ଼ାମାଳ ଜମି କେଳେଙ୍କାରୀ: ମିଛ ରିପୋର୍ଟ ଦେଇ ନିଲମ୍ବିତ ହେଲେ ସମାସିଂହା ଆର୍‌ଆଇ

By

Published : Aug 11, 2021, 5:29 PM IST

ଝାରସୁଗୁଡା: କୋଲାବିରା ତହସିଲ ସମାସିଂହା ରାଜସ୍ୱ ସର୍କଲ ଅଧିନସ୍ଥ ସୋଢାମାଳରେ ଏକ ସରକାରୀ ଜମିକୁ ଲିଜରେ ଦେବା ପାଇଁ ସରକାରଙ୍କୁ ମିଛ ରିପୋର୍ଟ ଦେବା କାରଣରୁ ସୋମବାର ଝାରସୁଗୁଡ଼ା ଜିଲ୍ଲାପାଳ ସମାସିଂହା RI ଜଗଦୀଶ ସାହୁଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି। ଜିଲ୍ଲାର ମନ୍ତ୍ରୀ ନବ ଦାସଙ୍କ ପୁଅକୁ ଜମି ଲିଜ ଦେବା ପାଇଁ ଅନୁକମ୍ପା ଦେଖାଇବା ଏହି ରାଜସ୍ବ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ସୋଢାମାଳ ମୌଜାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏକ କାରଖାନା ବସାଇବାକୁ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ କୋଲାବିରା ତହସିଲ କାର୍ଯ୍ୟାଳୟରେ ଗତ ୨୦୨୦ ମସିହାରେ ଜମି ପାଇଁ ଲିଜ୍ ଆବେଦନ କରିଥିଲେ।

ସୋଡ଼ାମାଳ ଜମି କେଳେଙ୍କାରୀ: ମିଛ ରିପୋର୍ଟ ଦେଇ ନିଲମ୍ବିତ ହେଲେ ସମାସିଂହା ଆର୍‌ଆଇ

ଖାତା ନମ୍ବର ୪୯୦, ପ୍ଲଟ୍ ନମ୍ବର ୧୩୫୩ର ୫୨ ଏକର ୭୨ ଡିସିମିଲ ଜମିରୁ ୮ ଏକର ଜମି ପାଇଁ ଏହି ଆବେଦନ କରାଯାଇଥିଲା। ଲିଜ୍ ଆବେଦନ ହୋଇଥିବା ଜମିର କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପାଇଁ ସେ ସମୟର ତହସିଲଦାର ସମାସିଂହା RI ଜଗଦୀଶ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆର୍‌ଆଇ ଜଗଦୀଶ ସାହୁ ତଦନ୍ତ କରି, ଲିଜ ଆବେଦନ କରାଯାଇଥିବା ଜମି ଖୋଲା ପଡ଼ିଆ ଥିବା ବେଳେ କିଛି ଛୋଟ ଛୋଟ ବୁଦା ରହିଥିବା ନେଇ ରିପୋର୍ଟରେ ଦର୍ଶାଇଥିଲେ।

ତେବେ ଲିଜ୍ ଆବେଦନ କରାଯାଇଥିବା ଜମିରେ ଜଙ୍ଗଲ ଓ ବଡ଼ ବଡ଼ ଗଛ ଥିବା ଦର୍ଶାଇ ‘ନ୍ୟୁ ଲାଇଟ୍’ ଯୁବକ ସଂଘ ପକ୍ଷରୁ ଆର୍‌ଆଇଙ୍କ ରିପୋର୍ଟକୁ ଚାଲେଞ୍ଜ କରି କଟକ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। କୋର୍ଟ ସତ୍ୟାସତ୍ୟ ଜାଣିବା ପାଇଁ ଏକ ମିଳିତ କମିଟି ମାଧ୍ୟମରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା। ଏଥିରେ କୋଲାବିରା ତହସିଲଦାର, ରିଜିଓନାଲ ଅଫିସ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଝାରସୁଗୁଡ଼ା) ଓ ସମ୍ବଲପୁର ଜଙ୍ଗଲ ବିଭାଗର ଏସିଏଫ୍ ସଭ୍ୟ ରହି ମିଳିତ କ୍ଷେତ୍ର ପରିଦର୍ଶନ କରିଥିଲେ।

ଏଥିରେ ଲିଜ ଆବେଦନ କରାଯାଇଥିବା ଜମିରେ ବଡ଼ ବଡ଼ ଗଛ ଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଥିଲା। ଫଳରେ ଆରଆଇ ଜଗଦୀଶ ସାହୁ ମିଛ ରିପୋର୍ଟ ଦେଇଥିବା ସ୍ପଷ୍ଟ ହୋଇଥିଲା। ଏନେଇ ଜିଲ୍ଲାପାଳ ସରୋଜ ସାମଲ ସୋମବାର ଆରଆଇ ଜଗଦୀଶ ସାହୁଙ୍କ ନିଲମ୍ବନ ଆଦେଶ ଦେଇଥିବା ବେଳେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ନିଲମ୍ବନ ସମୟରେ କୋଲାବିରା ତହସିଲ ଅଫିସ୍‌ରେ ସବୁ କାର୍ଯ୍ୟ ଦିବସରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details