ଝାରସୁଗୁଡା: ‘ଆପଣଙ୍କ ନାଁଟା କହିବେ’ ଖର୍ଚ୍ଚା ପାଣି କେତେ ଦେବି କହୁନ୍ ତ ? ଆଉ ଦିନେ ଯଦି ସୌରଭ ପଟେଲର ଗାଡି ଅଟ୍ କଲା ଆଇଆଇସିନୁ ଧରିକି ଏସପିନୁ ଧରିକି ସମକର ମା.... କେତେ ଖର୍ଚ୍ଚା ପାନି ଦରକାର 2ଶହ 4ଶହ 5ଶହ କି 5ହଜାର ।’ ଏହା କୌଣସି ଯାତ୍ରା କି ରଙ୍ଗମଞ୍ଚର ଶବ୍ଦ ସଂଯୋଜନା ନୁହେଁ । ଏହା ହେଉଛି ଜଣେ ଲଘୁଜ ଖଣି ସମ୍ପଦ ଲୁଟେରାର ପ୍ରଶାସନକୁ ଖୋଲା ଧମକ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା ଏମିତି ଏକ ଭିଡିଓ ଏବେ ଝାରସୁଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଅନୁସାରେ ଗତ ସୋମବାର ଦିନ ରାତିରେ ସୁଟିଂ ହୋଇଥିବା ଭିଡିଓଟି ଝାରସୁଗୁଡା ସହରର ବଢେଇମୁଣ୍ଡା ଛକର ବୋଲି ଜଣାପଡିଛି । ଯେଉଁ ଭିଡିଓରେ ଜଣେ ବାଲି ମାଫିଆ ପ୍ରଶାସନକୁ ଖୁଲମ ଖୁଲ୍ଲା ଧମକ ଦେଉଛନ୍ତି । ତାଙ୍କର ଗାଡିକୁ ଯଦି ଅଟକାଯାଏ ତେବେ ସେ କାହାରିକୁ ଛାଡିବେ ନାହିଁ ବୋଲି କହୁଛନ୍ତି । ଏହାସହ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କୁ ଲାଞ୍ଚ ଯାଚିବା ସହ ନିଜେ ଭିଡିଓ ମଧ୍ୟ ରେକର୍ଡିଂ କରି ଭାଇରାଲ କରିଛନ୍ତି । କେତେ ଲାଞ୍ଚ ନେବେ 2ଶହ 4ଶହ 5ଶହ କି 5ହଜାର ନା ଦଶ ହଜାର ଏମିତି ପ୍ରଶ୍ନ କରୁଛନ୍ତି ଏହି ବ୍ୟକ୍ତି ଜଣକ । ଯିଏ ନିଜକୁ ସୌରଭ ପଟେଲ ବୋଲି ପରିଚୟ ଦେଉଛନ୍ତି ।
ଝାରସୁଗୁଡା ଜିଲାରେ ବାଲି ମାଫିଆ ମାନେ ବେଆଇନ ଭାବରେ ମେସିନ ଲଗାଇ ବିପୁଳ ପରିମାଣରେ ନଦୀର ବାଲି ଉଠାଇବା ସହ ଜମା ରଖୁଛନ୍ତି । ଏହା ସହ ରାତିରେ ଚଢା ଦରରେ ବାଲି ବିକ୍ରି କରୁଛନ୍ତି । କୌଣସି ବାଲିଘାଟ କି ଖଣି ଏମାନେ ଲିଜ ନେଇ ନାହାନ୍ତି । ବେଆଇନ ଭାବେ ବିଭିନ୍ନ ନଦୀରୁ ବାଲି ଉଠାଇ କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି । ଏହାକୁ ଲଗାମ ଲଗାଇବାକୁ ପୋଲିସ ଯାଞ୍ଚ କରୁଛି । ଏଥିରେ ଉତକ୍ଷିପ୍ତ ହୋଇ ବାଲିଆ ମାଫିଆ ଶେଷରେ ପ୍ରଶାସନକୁ ଧମକ ଦେବକୁ ପଛାଇ ନାହାଁନ୍ତି ।
ତେବେ ଏହି ଭିଡିଓ ଭାଇରାଲ ହେବାପରେ ଝାରସୁଗୁଡା ଆରକ୍ଷୀ ଅଧ୍ୟକ୍ଷକ ଅଶ୍ବନୀ କୁମାର ମହାନ୍ତି ତାଙ୍କ ପାଖରେ ଚୋରା ବାଲି ଚାଲଣ ନେଇ ଖବର ନଥିବା କହିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅବଗତ ହୋଇଛି । ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି । ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ସେହିପରି ତହସିଲଦାର କହିଛନ୍ତି ଆମେ ମାଫିଆଙ୍କ ଉପରେ ଚଢାଉ କରୁଛୁ । ଯେଉଁ ସୌରଭ ପଟଲେ ଭିଡିଓରେ ଧମକ ଦେଉଛନ୍ତି ସେହି ନାଁରେ ଆମେ କାହାକୁ ବାଲି ଘାଟ ଲିଜରେ ଦେଇନାହୁଁ । ଏହା ବେଆଇନ କାମ । ଘଟଣାର ତଦନ୍ତ କରୁଛୁ । ତେବେ ଜଣେ ବାଲି ମାଫିଆ ପ୍ରଶାସନକୁ ଖୋଲା ଧମକ ଦେବା କେତେ ଦୂର ଠିକ । ଆଉ ପୋଲିସ ଏହି ଘଟଣାକୁ ନେଇ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ