ଝାରସୁଗୁଡା:ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ରହିଥିବାବେଳେ ଝାରସୁଗୁଡାରେ କଣ୍ଟା ଏବଂ ବ୍ରେକ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୩ ରଥରେ ବ୍ୟବହାର ହେଉଥିବା କଣ୍ଟା ଏବଂ ବ୍ରେକ୍ ମଧ୍ୟ ଝାରସୁଗୁଡା ବ୍ରଜରାଜନଗରରେ ନିର୍ମିତ ହୋଇସାରିଛି l ଆଜି ଝାରସୁଗୁଡା ରେଳଷ୍ଟେସନରୁ ଜଗୁ ବେନିଆଁ ଏବଂ ତାଙ୍କ ସହଯୋଗୀ ତିନି ରଥରେ ବ୍ରେକ୍ ଲଗାଇବା ପାଇଁ ପୁରୀ ଯାତ୍ରା କରିଛନ୍ତି ।
ରଥ ବ୍ରେକରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କଣ୍ଟା, ୱାସର ଆଦି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ସାନଯୋବ ଗାଁର ଜଗୁ ବେନିଆଁ ଓ ସାଥି ପ୍ରସ୍ତୁତ କରିଥାନ୍ତି l ଏହି ପ୍ରସ୍ତୁତ ସାମଗ୍ରୀ ଏବଂ ନାଇଲନ ରବର ବେଲ୍ଟକୁ ସାଙ୍ଗରେ ନେଇ ରଥଯାତ୍ରାର କିଛିଦିନ ପୂର୍ବରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି l ବ୍ରେକ୍ ତିଆରି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଏବଂ ବ୍ରେକ୍ ଲଗାଇବା ପାଇଁ ପୁରୀକୁ ଯିବା ଆସିବା ଖର୍ଚ୍ଚ ଏମାନେ ନିଜେ ନିଜ ପକେଟରୁ ବହନ କରିଥାନ୍ତି l ଏଥିପାଇଁ ପୁରୀ ମନ୍ଦିର ପ୍ରଶାସନକୁ କିଛି ଖର୍ଚ୍ଚ ମାଗନ୍ତି ନାହିଁ l
ଜଗୁ ବେନିଆଁ ଏବଂ ଅଶ୍ୱିନୀ ମିଶ୍ର ଏବଂ ସହଯୋଗୀ ମାନେ ନିଜ ଜ୍ଞାନକୌଶଳ ବ୍ୟବହାର କରି ରଥରେ ବ୍ରେକ ଖଞ୍ଜିବା ଦ୍ବାରା ବଡ଼ଦାଣ୍ଡରେ ରଥ ଗଡ଼ିବାବେଳେ ଆବଶ୍ୟକ ସମୟରେ ରଥ ରୋକିବା ପାଇଁ ବ୍ରେକର ବ୍ୟବହାର କରାଯାଏ l ଏଥିରେ ବ୍ୟବହାର ହେଉଥିବା ନାଇଲନ ରବର ବେଲ୍ଟ ରାସ୍ତାରେ ଘର୍ଷଣ ହୋଇ ରଥର ଗତି ଠିକ ଭାବରେ ନିୟନ୍ତ୍ରିତ ରଖିଥାଏ l ତିନି ରଥର ଏହି ବ୍ରେକ ତିଆରି କରିବା ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ l ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ l