ଝାରସୁଗୁଡ଼ା:ନାବାଳିକା ଦୁଷ୍କର୍ମ ମାମଲାରେ ଝାରସୁଗୁଡା ଜେଲ୍ରେ ସଜ୍ଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି । ଗତ ୭ ବର୍ଷରୁ ଊର୍ଦ୍ଧ୍ବ ହେବ ପୋକ୍ସ ମାମଲାରେ ସେ ଝାରସୁଗୁଡ଼ା ଉପ-କାରାଗାରରେ ଜେଲଦଣ୍ଡ ଭୋଗୁଥିଲେ । ଗତକାଲି(ଶନିବାର) ପୂର୍ବାହ୍ନରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ସୂଚନା ମୁତାବକ, ୨୦୧୪ ମସିହାରେ ନାବାଳିକା ଦୁଷ୍କର୍ମ ମାମଲରେ ସୁଶାନ୍ତ ବୁଦୁଲା ଗିରଫ ହୋଇଥିଲେ । ଲଇକେରା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ୨୦୨୧ ମସିହାରେ ଝାରସୁଗୁଡା ଏସଡିଜେଏମ ଅଦାଲତ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଶନିବାର ପୂର୍ବାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ସୁଶାନ୍ତ ଜେଲ୍ ଭିତରେ ହଠାତ୍ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ସଦର ମେଡିକାଲକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ହିଁ ସେ ଆଖି ବୁଜିଛନ୍ତି । ଏନେଇ ଝାରସୁଗୁଡା ବିମାନବନ୍ଦର ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।