ଝାରସୁଗୁଡା: ଆସନ୍ତାକାଲି(ଶୁକ୍ରବାର) ଠାରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ କୁକୁର ଜଙ୍ଘା ଠାରେ ଆୟୋଜିତ ହେଉଥିବା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଝାରସୁଗୁଡ଼ା ସହର ଉପକଣ୍ଠ କୁକୁର ଜଙ୍ଘା ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୀର୍ଘ ୮ ଶହ ବର୍ଷ ପୁରୁଣା କୁକୁର ଜଙ୍ଘା ଜଗନ୍ନାଥ ମନ୍ଦିର । ଶହଶହ ବର୍ଷ ଧରି ଚାଲିଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ରାଜ୍ୟର ସମସ୍ତ ସ୍ଥାନରେ ୯ ଦିନ ଧରି ରଥଯାତ୍ରା ପାଳନ କରାଯାଉଥିବାବେଳେ କୁକୁର ଜଙ୍ଘା ରଥଯାତ୍ରା ୧୫ ଦିନ ଧରି ଚାଲିଥାଏ ।
ପ୍ରତିଦିନ ଅଳ୍ପ ଅଳ୍ପ ରଥଟଣା ଯାଇଥାଏ । ଶେଷରେ ୧୫ ଦିନ ପରେ ମାଉସୀ ମା ମନ୍ଦିରରୁ ଫେରନ୍ତି ମହାପ୍ରଭୁ । ଯାହା ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷିତ କରିଥାଏ । ତେବେ ଆସନ୍ତାକାଲି ଗୁଣ୍ଡିଚା ଯାତ୍ରା । ଭୋର ସକାଳୁ ପ୍ରାୟ ୪ଟା ବେଳକୁ ଆରମ୍ଭ ହେବ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ପୂଜାବିଧି । ଦିନ ୧ଟା ବେଳକୁ ଗାଁର ଗୌନ୍ତିଆ ମହାରାଜ ଗଜପତିଙ୍କ ବେସରେ ଛେରାପହଁରା ସେବା କରି ମହାପ୍ରଭୁଙ୍କୁ ରଥ ଉପରୁ ପାଛୋଟି ନେଇ ବିରାଜମାନ କରାଇବେ । ଏହାପରେ ଆରମ୍ଭ ହେବ ରଥଟଣା ।