ଓଡିଶା

odisha

ETV Bharat / state

ଲୋକଙ୍କ ଚିନ୍ତା ବଢ଼ାଉଛି ବେଆଇନ ଇଟାଭାଟି, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ ! - ଝାରସୁଗୁଡ଼ାରେ ବଢ଼ୁଛି ବେଆଇନ ଇଟାଭାଟି

ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଇଟାଭାଟି ବଢ଼ିବାରେ ଲାଗିଛି । ବେଆଇନ କୋଇଲା ବ୍ୟବହାର କରି ନଦୀ କୂଳରେ ଇଟା ପୋଡ଼ିବା ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ଲୋକଙ୍କର ତଥା ସରକାରୀ ଜମିରୁ ରାତାରାତି ଚୋରି ହେଉଛି ମାଟି । ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଚିନ୍ତା ବଢ଼ାଉଛି ବେଆଇନ ଇଟାଭାଟି
ଚିନ୍ତା ବଢ଼ାଉଛି ବେଆଇନ ଇଟାଭାଟି

By

Published : Mar 19, 2023, 9:05 PM IST

ଚିନ୍ତା ବଢ଼ାଉଛି ବେଆଇନ ଇଟାଭାଟି

ଝାରସୁଗୁଡ଼ା: ଜିଲ୍ଲାରେ ଏବେ ବେଆଇନ ଭାବରେ ଗଢ଼ି ଉଠୁଛି ଇଟାଭାଟି । ବେଆଇନ କୋଇଲା ବ୍ୟବହାର କରି ନଦୀ କୂଳରେ ଲକ୍ଷଲକ୍ଷ ଇଟା ପୋଡ଼ିବା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି । ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଇବ ନଦୀ କୂଳିଆ ଅଞ୍ଚଳରେ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନଦୀକୁଳିଆବାସୀ । ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ନାହିଁ ନଥିବା ଅସୁବିଧାରେ ଲୋକେ: ଲୋକଙ୍କ ଅଭିଯୋଗ ଅନୁସାରେ ଲୋକଙ୍କ ଜମିରୁ ଆଖି ପିଛୁଳାକେ ବ୍ୟାପକ ମାଟି ଖନନ କରି ନିଆଯାଉଛି । ଏହା ସହିତ ନଦୀ ପଠା ଓ ସରକାରୀ ଜମିରୁ ମେସିନ ଲଗାଇ ମାଟି ଚୋରି କରି ନେବାକୁ ପଛାଉନାହାନ୍ତି ମାଫିଆ । ଇଟାଭାଟି ଯୋଗୁଁ ଚାଷ ପାଇଁ ଜଳ ସଙ୍କଟ ମଧ୍ୟ ଦେଖାଯାଉଛି । କାରଣ ନଦୀରୁ ପମ୍ପ୍‌ ଲଗାଇ ଇଟାଭାଟିକୁ ପାଣି ନେଉଛନ୍ତି ମାଲିକ । ସେହିଭଳି ଇଟାଭାଟିରେ ଇଟା ପୋଡ଼ିବା ପାଇଁ ବେଆଇନ କୋଇଲା ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ପାଖ ପରିବେଶ ପ୍ରଦୂଷିତ ହେଉଛି ।

ଭାଟି ମାଲିକ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା !: ବେଆଇନ୍‌ ଇଟାଭାଟି ଯୋଗୁଁ ଉପୁଜୁଥିବା ସମସ୍ୟାକୁ ନେଇ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି । କିନ୍ତୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯୋଗ୍ୟ ଯେ, ବିଗତ କିଛିଦିନ ତଳେ ଏଚ୍ କଣ୍ଟାଟାପାଲି ଅଞ୍ଚଳର ଜଣେ ବ୍ୟକ୍ତି ନଦୀକୂଳିଆ ଅଞ୍ଚଳରେ ଗଢ଼ି ଉଠୁଥିବା ଇଟାଭଟି ଯୋଗୁଁ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ଫଳରେ ଏପରି ପରିସ୍ଥିତି ପାଇଁ ବେଆଇନ ଇଟାଭାଟି ମାଲିକ ଓ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାର ବଙ୍ଗଳା ଇଟାଭାଟି ଓ ଅସ୍ଥାୟୀ ଚିମିନି ଇଟାଭଟିକୁ ସ୍ବୀକୃତି ଦେବା ବନ୍ଦ କରିବା ସତ୍ତ୍ଵେ କିପରି ଏହି ଇଟାଭଟି ମାଲିକ ନିଜ ବ୍ୟବସାୟକୁ ବେଧଡ଼କ ଆଗେଇ ନେଉଛନ୍ତି, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

"ମାଟି ଇଟା ନିଷେଧ କରାଯାଇଛି, କାର୍ଯ୍ୟାନୁଷ୍ଠାନ ନିଆଯିବ": ଏନେଇ ଝାରସୁଗୁଡ଼ା ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି, "ସରକାରଙ୍କ ପକ୍ଷରୁ ମାଟି ଇଟା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ । ମେସିନ ଲଗାଇ ମାଟି ଖୋଳିବା, ରାତି ଅଧରେ ସରକାରୀ ଜମିରୁ ମାଟି ଚୋରି କରି ଇଟା ପ୍ରସ୍ତୁତ କରୁଥିବା ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିକଟରେ ମଧ୍ୟ ଏଭଳି ଅଭିଯୋଗକୁ ଗୁରୁତ୍ବ ଦେଇ ଅନେକ ଫାଇନ ଆଦାୟ ହେବା ସହ ମେସିନ ଜବତ କରାଯାଉଛି । କେଉଁଠି ଯଦି ବେଆଇନ ଇଟାଭାଟିର ସନ୍ଧାନ ମିଳେ, ତେବେ ଭାଟି ମାଲିକଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ଏନେଇ ପୋଲିସ ସହାୟତାରେ ରାତିରେ ମଧ୍ୟ ପେଟ୍ରୋଲିଂ କରାଯାଉଥିବା କହିଛନ୍ତି ତଦସିଲଦାର । ଏହାପରେ ମଧ୍ୟ ପୋଲିସ ଆଖିରେ କିପରି ଏହି ବେଆଇନ ଇଟାଭାଟି ପଡ଼ୁନାହିଁ, ସେନେଇ ସନ୍ଦେହ ଉପୁଜିଛି ।

ଭାଟିରେ କାମ କରୁଛନ୍ତି ଶିଶୁ ଶ୍ରମିକ !: ତେବେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଇଟାଭାଟିରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ୧୮ ବର୍ଷରୁ କମ ବୟସରେ ଅର୍ଥାତ ହାତରେ ଖାତା କଲମ ଧରି ପାଠ ପଢ଼ିବା ବୟସରେ ସେମାନଙ୍କୁ ଶ୍ରମିକ ସଜାଇ ଦିଆଯାଇଛି । ଏହା ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ସେ କହିଛନ୍ତି, "ଏଭଳି କୌଣସି ଶିଶୁ ଶ୍ରମିକ ଜିଲ୍ଲାରେ ନାହାନ୍ତି । ଯଦି ଏଭଳି ଘଟଣା ଘଟୁଛି, ଆମ ନଜରକୁ ଆସିଲେ ତାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ତେବେ ଏହି ବେଆଇନ ଇଟାଭାଟି ଉପରେ ପ୍ରଶାସନ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛି, ଏବେ ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details