ଝାରୁସୁଗୁ଼ଡ଼ା: ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଇପ ଯୋଗେ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ହେଲେ ବାସ୍ତବରେ ଏହି ଯୋଜନା ଲୋକଙ୍କ କାମରେ ଆସୁନି । ଖରା ଆସିଲେ ପାଣି ଟୋପାଏ ପାଇଁ ସବୁଠି ହନ୍ତସନ୍ତ । ପାନୀୟ ଜଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଲୋକେ । ଠିକ ସେହିପରି ଶିଳ୍ପ ନଗରୀ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଖରା ଆରମ୍ଭରୁ ଦେଖା ଦେଇଛି ଜଳ ସଂକଟ ।
ଝାରସୁଗୁଡ଼ା ସହରର ଜମେରା ପଞ୍ଚାୟତରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଆରମ୍ଭରୁ କେଉଁଠି ଟ୍ୟାପରୁ ପାଣି ଆସିବା ବନ୍ଦ ହେଲାଣି ତ ଆଉ କେଉଁଠି କୂଅ ଶୁଖିଲାଣି । ସରକାରଙ୍କ ମେଗା ଜଳ ପ୍ରକଳ୍ପ ଯୋଜନାରେ ଘରକୁ ଘର ପାନୀୟଜଳ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତି ଘରେ ପାଇପ ସଂଯୋଗ ହୋଇଛି । ହେଲେ ସେଥିରେ ପାଣି ଆସୁନାହିଁ । ଗାଁକୁ ଲାଗି ପାଖରେ ରହିଛି ଇବ ନଦୀ । ଖରା ଯୋଗୁଁ ତାହା ମଧ୍ୟ ଶୁଖିବାକୁ ବସିଲାଣି । ସେପଟେ ସକାଳ ସମୟରେ ଏହି ପାଇପରେ ୧୦ ରୁ ୧୫ ମିନିଟ ସମୟ ପାଇଁ ପାଣି ଦିଆଯାଉଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ସେତିକି ପାଣି ନିଅଣ୍ଟ ହେଉଛି । ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ପାଇପ ଫାଟି ଯାଉଥିବା ଯୋଗୁଁ ପାଣି ଠିକ ଭାବରେ ପହଞ୍ଚି ପାରୁନାହିଁ । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ।