ଝାରସୁଗୁଡା:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ । ମୃତ ରୋଗୀ ଜଣଙ୍କ ହେଉଛନ୍ତି ବ୍ରଜରାଜନଗର ଅଞ୍ଚଳର ଆରତୀ ଘୋଷ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି ।
ଚିକିତ୍ସା ଜାରି ରହିଥିବା ବେଳେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, କିଛିଦିନ ପୂର୍ବରୁ ଜିଲ୍ଲାପାଳ, ସିଡିଏମମଓଙ୍କ ସହିତ ଏକ ବୈଠକ କରିଥିଲେ । ରୋଗୀମାନେ କେମିତି ଭଲ ଚିକିତ୍ସା ପାଇ ପାରିବେ ତାହାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ହେଲେ ବୈଠକର ଦୁଇ, ତିନିଦିନ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ବରଗଡ଼ ସାଂସଦ କହିଛନ୍ତି ।
୩ଶହ ଶଯ୍ୟା ବିଶିଷ୍ଟ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ କିଛି ନୂଆ ନୁହେଁ । ହେଲେ ଏଭଳି ବଡ଼ବଡ଼ ଅଘଟଣକୁ ମଧ୍ୟ ଏଡ଼ାଇବା ଅସମ୍ଭବ । କିଛି ମାସ ପୂର୍ବରୁ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଥିଲା ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ । ସେ ଘଟଣାର କିଛି ମାସ ନପୁରୁଣୁ ଏବେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଗକୁ କଣ ପଦକ୍ଷେପ ନିଆଯାଉଛି ଏବେ ତାହା ଦେଖିବାକୁ ବାକି ରହିଲା ।