ଭୁବନେଶ୍ବର/ଝାରସୁଗୁଡା:ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କଲା ଗୋପାଳ । କଣ ରହିଛି ଏହା ପଛର ରହସ୍ୟ । ନବ ଦାସଙ୍କ ସହ ଏଏସଆଇ ଗୋପାଳର ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣକୁ ନେଇ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ କରିଥିଲା ଗୋପାଳ । ଏମିତି ଅନେକ ପ୍ରଶ୍ନକୁ ନେଇ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଇଥିଲେ ବି ଏପର୍ଯ୍ୟନ୍ତ ହତ୍ୟାର ପଛର ରହସ୍ୟ ସ୍ପଷ୍ଟ ହୋଇପାରିନାହିଁ ।
ଆଉ ଏହାରି ଭିତରେ ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିବା ଧଳା କାରକୁ ଛାନଭିନ କରିଛି କ୍ରାଇମବ୍ରାଞ୍ଚ । ଗାନ୍ଧି ଛକ ଫାଣ୍ଡିରେ ଏକ ଧଳା ରଙ୍ଗର ଭର୍ଣ୍ଣା କାର ରହିଛି । କାରର ଚାବି ଥାନାରେ ରହିଛି । କ୍ରାଇମବ୍ରାଞ୍ଚର ଟିମ ଗୋପାଳକୁ ଫାଣ୍ଡିକୁ ଆଣିଥିଲା । ଆଉ ଗୋପାଳ ଏହି କାର ଭିତରୁ କିଛି କାଗଜପତ୍ର ଓ ଡାଏରୀ କ୍ରାଇମବ୍ରାଞ୍ଚକୁ ଦେଇଛି । ଚର୍ଚ୍ଚା ହେଉଛି ଏହି କାରଟି କୋଇଲା ବ୍ୟବସାୟୀଙ୍କର କିମ୍ବା ଠିକାଦାରଙ୍କ ନାଁରେ ରେଜିଷ୍ଟ୍ରୀ ହୋଇଛି । ଆଉ ଏହି କାରକୁ ବ୍ୟବହାର କରୁଥିଲା ଗୋପାଳ ।
ଏଠି ପ୍ରଶ୍ନ ଉଠୁଛି କୋଇଲା ମାଫିଆ ମାନଙ୍କ ସହିତ ଗୋପାଳର କିଛି ଲିଙ୍କ ଥିଲା କି ? ନବ ଦାସଙ୍କୁ ହତ୍ୟା ପଛରେ କୋଇଲା ବ୍ୟବସାୟୀଙ୍କ ଶତ୍ରୁତା ନାହିଁ ତ ? ବ୍ୟବସାୟିକ ଶତ୍ରୁତା କାରଣରୁ ଗୋପାଳକୁ ମାଧ୍ୟମ କରି କେହି ଗୁଳି ଚଳାଇ ନାହାନ୍ତି ତ ମନ୍ତ୍ରୀଙ୍କ ଉପରକୁ ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।