ଝାରସୁଗୁଡା: ମହାମାରୀ କୋରୋନା କାହା ପାଇଁ ବିପତ୍ତି ପାଲଟିଛି ତ କାହା ପାଇଁ ଆଣି ଦେଇଛି ନିଯୁକ୍ତିର ସୁଯୋଗ । କଟକଣା ଯୋଗୁଁ କେହି ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ହୋଟେଲ ଶିଳ୍ପ ବିଶେଷ ଭାବରେ ପ୍ରଭାବିତ ହୋଇଛି । ହେଲେ ଏତିକି ବେଳେ ଝାରସୁଗୁଡା ଭଳି ଛୋଟ ସହରରେ ଅନଲାଇନରେ ଲୋକଙ୍କୁ ଖାଇବା ଯୋଗାଇ ବେଶ ଲାଭ ପାଉଛନ୍ତି ଦୁଇ ବନ୍ଧୁ ।
ଷ୍ଟାର୍ଟଅପରୁ ଷ୍ଟାଣ୍ଡଅପ, ଲକଡାଉନରେ ବଢୁଛି ଅର୍ଡର ପ୍ଲିଜର ଚାହିଦା ଝାରସୁଗୁଡ଼ାର ସ୍ଥାନୀୟ ଯୁବକ ସନତ କୁମାର ଦାସ ଓ ରିତେଶ ଶର୍ମା । ବାଙ୍ଗାଲୋରରେ ଚାକିରି ଛାଡି ଅର୍ଡର ପ୍ଳିଜ ନାମକ ଏକ ଆପ ତିଆରି କରିଥିଲେ । ପ୍ରଥମେ 3ଟି ହୋଟେଲ ଅନୁମତି ଦେଇଥିବା ବେଳେ ଏବେ ଲକଡାଉନରେ 35 ଟି ହୋଟେଲରୁ ମିଳିଛି ଅନୁମତି । ଏହି କମ୍ପାନୀରେ 10 ଜଣ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ପାଖାପାଖି 200 ଲୋକ ଖାଦ୍ୟ ପାଇଁ ଅର୍ଡର ଦେଉଛନ୍ତି ।
ଏହି ଦୁଇ ବନ୍ଧୁଙ୍କ ଆତ୍ମନିର୍ଭରଶୀଳ ହେବାର କାହାଣୀ ବି ନିଆରା । 2015 ମସିହାରେ ଅନଲାଇନ ଯୋଗେ ଅର୍ଡର ନେଇ ହୋଟେଲ ଖାଦ୍ୟ ଲୋକଙ୍କୁ ଯୋଗାଇବା ବ୍ୟବସାୟ ଆରମ୍ଭ କରିବା ପାଇଁ ଅର୍ଡର ପ୍ଳିଜ (OrderPlz) ନାମକ ଆଣ୍ଡ୍ରଏଡ ଆପ ତିଆରି କରିଥିଲେ । ପ୍ରଥମେ ସେମାନଙ୍କୁ ଏତେଟା ସଫଳତା ମିଳି ନଥିଲା । ଆରମ୍ଭରେ ହୋଟେଲ କର୍ମଚାରୀ ହୋମ ଡେଲିଭରି ଦେବା ପାଇଁ ସର୍ତ୍ତ ରଖି କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଖାଦ୍ୟ ଯୋଗାଣରେ ବିଳମ୍ବ ହେବାରୁ ପ୍ରଥମେ ଗାଳି ଶୁଣିବାକୁ ପଡୁଥିଲା । ପରେ ନିଜ ମୋଟର ସାଇକେଲରେ ଲୋକଙ୍କୁ ସେବା ଯୋଗାଇଥିଲେ । ଆଉ ଏଥିରେ ସଫଳ ହେବାପରେ ବର୍ତ୍ତମାନ ୩୫ ଟି ହୋଟେଲ ତାଙ୍କ ସହ ଯୋଡି ହୋଇଛନ୍ତି । ଲକଡାଉନରେ ଅନଲାଇନ ଅର୍ଡର ପୁର୍ବାପେକ୍ଷା ବଢ଼ି ତାଙ୍କ ବ୍ୟବସାୟ ଆହୁରୀ ସୁଦୃଢ ହୋଇଥିବା କୁହନ୍ତି ଉଭୟ ।
ମହାମାରୀରେ ଅନେକ ଯୁବକ ଜୀବିକା ହରାଇ ହତାଶ ହୋଇପଡିଛନ୍ତି । ହେଲେ ଯୁବ ଗୋଷ୍ଠୀ ବର୍ତ୍ତମାନ ପରିସ୍ଥିତିରେ ଚାକିରି ପାଇଁ ସମୟ ନଷ୍ଟ ନ କରି ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ଦୁଇବନ୍ଧୁ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ