ଝାରସୁଗୁଡା:ସ୍ଥାନୀୟ କିର୍ମିରା ବ୍ଳକରେ ଅଭାବନୀୟ ଘଟଣା । ବାପାମାଆଙ୍କ ସାମ୍ନାରେ ଦୁଇପୁଅକୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ନାବାଳକ ପୁଅଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ବାପାମାଆ । ଝାରସୁଗୁଡ଼ା ଜିଲ୍ଲା ବାଗଡିହି ରେଞ୍ଜ କିର୍ମିରା ବ୍ଳକ ଭଉଁରା ନିକଟରେ ଏଭଳି ଏକ ଛାତିଥରା ଘଟଣା ଘଟିଛି । ମୃତ ନାବାଳକ ହେଲେ 9 ବର୍ଷୀୟ ଧନଞ୍ଜୟ ସତନମୀ ଏବଂ 11 ବର୍ଷୀୟ ଅଭୟ ସତନମୀ ।
ସୂଚନା ଅନୁଯାୟୀ, ହାତୀ ଆକ୍ରମଣର ଶିକାର ହୋଇଥିବା ପରିବାର ଛତିଶଗଡ଼ ସ୍ଥିତ ଶକ୍ତି ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଉମେଶ ରାମ ସତନାମୀ ନାମକ ଜଣେ ବ୍ୟକ୍ତି ଇଟା ଭାଟିରେ କାମ କରିବାକୁ ଦୁଇ ଦିନ ତଳେ ନିଜ ପରିବାର ସହ ଝାରସୁଗୁଡ଼ା ଆସିଥିଲେ । ବାଗଡିହି ରେଞ୍ଜ କିର୍ମିରା ବ୍ଳକ ଭଉଁରା ନିକଟରେ ବିଳମ୍ବିତ ରାତିରେ ଶୋଇଥିବା ସମୟରେ ସପରିବାର ହାତୀ ଆକ୍ରମଣର ଶିକାର ହୋଇଥିଲେ ।