ଓଡିଶା

odisha

ETV Bharat / state

ବିପଦକୁ ହାତ ଠାରି ଡାକୁଛି NH 49, ଯାଉଛି ନିରୀହ ଜୀବନ - ଝାରସୁଗୁଡା ୪୯ ନଂ ଜାତୀୟ ରାଜପଥରେ ଦୁର୍ଘଟଣା

ଝାରସୁଗୁଡା ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଦେଇ ଶହ ଶହ ଯାନବାହନ ଯାତ୍ରା କରୁଥିବା ବେଳେ ପ୍ରତିଦିନ ଏଠାରେ କିଛି ନା କିଛି ଦୁର୍ଘଟଣା ଘଟୁଛି । ରାସ୍ତାକଡ଼ରେ ପାର୍କିଂ ହୋଇ ରହୁଥିବା ବେଆଇନ ଟ୍ରକ, ବେପରୁଆ ଗାଡ଼ି ଚାଳନା ଓ ଢିଲା ଯାଞ୍ଚ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ଏହାର ପଦକ୍ଷେପ ନିଆନଗଲେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

Accident in NH49: ବିପଦକୁ ହାତ ଠାରି ଡାକୁଛି NH 49, ଯାଉଛି ନିରୀହ ଜୀବନ
Accident in NH49: ବିପଦକୁ ହାତ ଠାରି ଡାକୁଛି NH 49, ଯାଉଛି ନିରୀହ ଜୀବନ

By

Published : Dec 5, 2021, 7:30 PM IST

ଝାରସୁଗୁଡା: ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଝାରସୁଗୁଡା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଦିନକୁ ଦିନ ଟ୍ରାଫିକ ବୃଦ୍ଧି ଓ ବେପରୁଆ ଗାଡି ଚାଳନା ଦୁର୍ଘଟଣାର କାରଣ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଅନେକ ସ୍ଥାନରେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଅନ୍ୟ ଏକ କାରଣ । ମଦ୍ୟପାନ କରି ଚାଳନା କରୁଥିବା ଗାଡ଼ି ଚାଳକ ଯୋଗୁଁ ବେଶୀ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅପରପକ୍ଷେ ବେପରୁଆ ଗାଡି ଚଳାଉଥିବା ଚାଳକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା, ରାସ୍ତାରେ ଯାଞ୍ଚ ବ୍ୟବସ୍ଥା ଢିଲା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Accident in NH49: ବିପଦକୁ ହାତ ଠାରି ଡାକୁଛି NH 49, ଯାଉଛି ନିରୀହ ଜୀବନ

ଝାରସୁଗୁଡାରୁ ଛତିଶଗଡ଼କୁ ସଂଯୋଗ କରୁଛି ୪୯ ନଂ ଜାତୀୟ ରାଜପଥ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ଯିବା ଆସିବା କରିଥାଏ । ତେବେ କିଛି ଦିନ ହେବ ଏହି ରାସ୍ତା ପାଲଟିଛି ମରଣଯନ୍ତା । ପ୍ରତ୍ୟେକ ଦିନ ଏଠାରେ କିଛି ନା କିଛି ଦୁର୍ଘଟଣା ଘଟୁଥିବା ବେଳେ ଗଲାଣି ଅନେକଙ୍କ ଜୀବନ । ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ ମସିହାରେ ଝାରସୁଗୁଡା ଜିଲ୍ଲାରେ ୧୯୦ଟି ଦୁର୍ଘଟଣା ଘଟିଥିଲା । ସେଥିମଧ୍ୟରୁ ୪୯ ନମ୍ବର ଜାତୀୟ ରାଜପଥରେ ୬୨ ଟି ଦୁର୍ଘଟଣା ଘଟିଥିବା ବେଳେ ୩୦ ଜଣ ମୃତ୍ୟୁବରଣ କରିଥିଲେ । ସେହିପରି ୨୦୨୧ ମସିହା ଅକ୍ଟୋବର ୩୧ ତାରିଖ ସୁଦ୍ଧା ଜିଲ୍ଲାରେ ୧୯୧ଟି ଦୁର୍ଘଟଣା ଘଟିଥିବା ବେଳେ ୪୯ ନଂ ଜାତୀୟ ରାଜପଥରେ ୮୩ଟି ଦୁର୍ଘଟଣା ଘଟିଛି । ଯେଉଁଥିରେ ୪୨ ଜଣଙ୍କ ମୃତ୍ୟବରଣ କରିଥିବା ଜଣାପଡିଛି ।

ଏହି ଜାତୀୟ ରାଜପଥ କଡରେ ଥିବା ଝାରସୁଗୁଡା ଥାନା, ସଦର ଥାନା, କୋଲାବିରା ଥାନା, ବ୍ରଜରାଜନଗର ଥାନା, ବେଲପାହାଡ ଥାନା, ଲଖନପୁର ଥାନା, ରେଙ୍ଗାଲି ଥାନା ଅଧିନରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିବା ସହିତ ଅନେକ ମୂଲ୍ୟବାନ ଧନ ଜୀବନ ନଷ୍ଟ ହେଉଛି । ଉପରୋକ୍ତ ଥାନାଗୁଡ଼ିକୁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ମାମଲା ପଞ୍ଜୀକରଣ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି । ୨୦୨୦ ମସିହାରେ ଲକ୍‌‌ଡାଉନ ଯୋଗୁଁ ଗାଡି ଚଳାଚଳ ଉପରେ ସରକାର କଟକଣା ଜାରି କରିଥିବାରୁ ସେହି ବର୍ଷ ଦୁର୍ଘଟଣା ସଂଖ୍ୟା ଯଦିଓ କିଛି କମ୍‌ ଥିଲା ତଥାପି ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ଥିଲା ।

ପୋଲିସ, ପ୍ରଶାସନ ଓ ଆଂଚଳିକ ପରିବହନ ବିଭାଗ ଏହି ଦୁର୍ଘଟଣା ଏଡାଇବା ନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିପାରିନାହିଁ । ଝାରସୁଗୁଡା ସହର ଦେଇ ଯାଇଥିବା ଜାତୀୟ ରାଜପଥ ଉଭୟ କଡ଼ରେ ଶହ ଶହ କୋଇଲା ବୋଝେଇ ଟ୍ରକ ଦିନରାତି ବେଆଇନ ପାର୍କିଂ କରୁଥିବା ବେଳେ ରାସ୍ତା କଡ ଗ୍ୟାରେଜ୍ ଗୁଡିକରେ ମଧ୍ୟ ମାସ ମାସ ଧରି ଠିଆ ହୋଇ ରହୁଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇ ଦୁର୍ଘଟଣା ଘଟୁଛି ।

ସେହିପରି କୋଇଲା ପରିବହନ କରୁଥିବା ଟ୍ରକ୍‌‌ଗୁଡିକର ପଛ ଲାଇଟ ଜଳୁ ନଥିବା, କୌଣସି ଟ୍ରକ୍‌‌ରେ ଖଲାସି ନ ଥିବା, କୋଇଲା ଓ ପାଉଁଶ ବୋଝେଇ ଟ୍ରକ୍ ଡାଲାକୁ ତାରପୋଲିନରେ ଢଙ୍କା ନ ଯିବା ମଧ୍ୟ ଦୁର୍ଘଟଣାର କାରଣ ବୋଲି ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ରୋକିବା ପାଇଁ ପୋଲିସ ପ୍ରଶାସନ ପରିବହନ ବିଭାଗ ଓ NHI କର୍ତ୍ତୃପକ୍ଷଙ୍କ ସହିତ ଏକ ଟିମ ଗଠନ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ପରିବହନ ଅଧିକାରୀ । ଏହା ସହିତ ଆଗାମୀ ଦିନଗୁଡ଼ିକରେ କଡାକଡି ଚେକିଂ କରାଯିବ ବୋଲି କହିଛନ୍ତି ।

ତେବେ ଅନେକ ସ୍ଥାନରେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହା ସହିତ ମଦ୍ୟପାନ କରି ଚାଳନା କରୁଥିବା ଗାଡ଼ି ଚାଳକ ଯୋଗୁଁ ବେଶୀ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ପ୍ରତ୍ୟେକ ଦିନ ବହୁ ଭାରି ଯାନବାହନ ଯିବା ଆସିବା କରୁଥିବା ବେଳେ ରାସ୍ତାର ପ୍ରଶସ୍ତିକରଣ କରାଗଲେ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରତିବର୍ଷ ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ଲୋକ ଦୁର୍ଘଟଣାରେ ଜୀବନ ହରାଉଛନ୍ତି । ଏଠାରେ ଦୁଇ ଥାକିଆ ରାସ୍ତାକୁ ଚାରି ଥାକିଆରେ ପରିଣତ କରାଗଲେ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।



ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିିଭି ଭାରତ

ABOUT THE AUTHOR

...view details