ଝାରସୁଗୁଡା: ବିବାହରେ ବରକନ୍ୟାଙ୍କୁ ବନ୍ଧୁବାନ୍ଧବ ଅନେକ ଉପହାର ଦେଇ ଶୁଭେଚ୍ଛା ଜଣାଉ ଥିବାବେଳେ ଜଣେ ନବ ଦମ୍ପତିଙ୍କୁ ଉପହାରରେ ମିଳିଛି ପେଟ୍ରୋଲ । ୫ ଲିଟରର ପେଟ୍ରୋଲ ଭେଟି ଦେଇଛନ୍ତି ବରର ବନ୍ଧୁମାନେ । ଏକ ବିବାହ ଉତ୍ସବରେ ବରଙ୍କ ବନ୍ଧୁମାନେ ମଞ୍ଚ ଉପରକୁ ଯାଇ ନବଦମ୍ପତିଙ୍କୁ ପେଟ୍ରୋଲ ଉପହାର ଦେଇଛନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ପୁରୁଣାବସ୍ତି ଅଞ୍ଚଳରେ । ଗତକାଲି (ବୁଧବାର) ଘନଶ୍ୟାମ ପଟ୍ଟନାୟକଙ୍କ ସୁପୁତ୍ର ଦେବାଶିଷ ସହିତ ଶିବାନୀଙ୍କ ବିବାହ ଉତ୍ସବରେ ଏପରି ଅଭିନବ ଉପହାର ଗ୍ରହଣ କରିଛନ୍ତି ନବଦମ୍ପତି ।
ଗିଫ୍ଟରେ ମିଳିଲା 5 ଲିଟର ପେଟ୍ରୋଲ ତେବେ ବିବାହ ବ୍ରତରେ ଯୋଗ ଦେଇଥିବା ଅତିଥିମାନେ ସାଧାରଣାତଃ କିଛି ଭିନ୍ନ ଧରଣର ବା ଦାମୀ ଜିନିଷ ଉପହାର ଦେଇଥାନ୍ତି । ହେଲେ ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ବିରୋଧ କରି ଏଭଳି ଅଭିନବ ଉପାୟରେ ପେଟ୍ରୋଲକୁ ଉପହାର ରୂପେ ଭେଟି ଦିଆଯାଇଛି ।
ତେବେ ଏହି ପେଟ୍ରୋଲ ଭେଟି ଦେବା ପଛର ଉର୍ଦ୍ଦେଶ୍ୟ ସମ୍ପର୍କରେ ଜାଣିବା ପରେ ସେଠରେ ଉପସ୍ଥିତ ଥିବା ଅତିଥିଙ୍କ ମଧ୍ୟରେ ହାସ୍ୟମୟ ପରିବେଶ ସୃଷ୍ଟି ହୋଇଥିଲା । ବର୍ଦ୍ଧିତ ତୈଳଦର ଯୋଗୁଁ ମଧ୍ୟବିତ୍ତ ପରିବାର ଉପରେ ପଡୁଥିବା ଚାପ ବିରୋଧରେ ଏକ ଅଭିନବ ପ୍ରତିବାଦ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ପିଆଜ ଓ ଆଳୁକୁ ମଧ୍ୟ ଉପହାରରେ ଦିଆଯାଇଥିବା ନଜର ରହିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ