ଝାରସୁଗୁଡ଼ା: ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷ ଘରୋଇ ଟ୍ୟାକ୍ସି ଚାଳକ ମାନଙ୍କ ପାଇଁ ଯାତ୍ରୀମାନଙ୍କଠାରୁ ନେଉଥିବା ଦରକୁ ସ୍ଥିର କରିବା ଓ କୋଭିଡ୍ କଟକଣା ନିମନ୍ତେ ବିମାନବନ୍ଦରଠାରେ ସୀମିତ ସଂଖ୍ୟାରେ ଗାଡି ରଖିବା ନେଇ ନୂତନ ନିୟମ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିମାନ ବନ୍ଦରରୁ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନ ପାଇଁ ନିର୍ଦ୍ଧିଷ୍ଟ ଭଡ଼ା ସ୍ଥିର କରାଯାଇଛି କିନ୍ତୁ ବିମାନବନ୍ଦରର ଏପରି ପଦକ୍ଷେପକୁ ଓଡ଼ିଶା ମୋଟର ସଂଘର ଭିଏସଏସ ଝାରସୁଗୁଡ଼ା ଏୟାରପୋର୍ଟ ଟ୍ୟାକ୍ସି ସେବା ସଂଘ ଶାଖା ନାପସନ୍ଦ କରିଛି ।
ସଂଘ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଟ୍ୟାକ୍ସି ଚାଳକ ଓ ମାଲିକଙ୍କ ପାଇଁ ଦୁଃଖର କାରଣ ପାଲଟିଛି । ଗତ ନଭେମ୍ବର 10 ଠାରୁ ସ୍ଥାନୀୟ ଟ୍ୟାକ୍ସି ଚାଳକମାନଙ୍କୁ ବିମାନବନ୍ଦରଠାରୁ ଯାତ୍ରୀମାନଙ୍କୁ ନେବା ଆଣିବା ଉପରେ କଟକଣା ଲଗାଇଛନ୍ତି । ଟ୍ୟାକ୍ସି ଚାଳକମାନେ ପ୍ରତି ମାସରେ ବିମାନବନ୍ଦର ପାର୍କିଂ ଠାରେ ଏୟାରପୋର୍ଟ ଫିସ୍ ବାବଦରେ ୧୨୦୦ ଟଙ୍କା ଓ ପ୍ରତ୍ୟେକ ଭଡ଼ା ବାବଦରେ ୨୦ ଶତକଡ଼ା ପାର୍କିଂ ଠିକା ସାବିତ୍ରୀ ଏଣ୍ଟରପ୍ରାଇଜର୍ସ ଓ ସାଣ୍ଡ ପିପୁଲ କମ୍ପାନୀଗୁଡ଼ିକୁ ଦେଇଥାନ୍ତି ।