ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ଯାକାଣ୍ଡ ମାମଲା । ମାଜିଷ୍ଟ୍ରେଟ୍ଙ୍କ ଅନୁପସ୍ଥିତି ଯୋଗୁଁ ସେପ୍ଟେମ୍ବର-୨ ତାରିଖକୁ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି । ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ନବଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର ।
ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ ହୋଇସାରିଛି । ଗତ ୯ ତାରିଖରେ ଗୋପାଳର ଶୁଣାଣି ହେବାର ଥିଲା । ହେଲେ ଏହା ପୂର୍ବରୁ ତାଙ୍କ ଓକିଲ ନରେଶ ନାଏକ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । ଯେହେତୁ ଡିସଚାର୍ଜ ପିଟିସନ ଦାଖଲ ହୋଇଥିଲା, ସେଥିଲାଗି ଚାର୍ଜ ଫ୍ରେମ୍ ହୋଇ ପାରିଲା ନାହିଁ । ତେଣୁ ଗୋପାଳଙ୍କ ଓକିଲ ଶୁଣାଣି ପାଇଁ ଆଉ ଏକ ତାରିଖ ଆବେଦନ କରିଥିଲେ। ଯେଉଁଥିରେ ମାଜିଷ୍ଟ୍ରେଟ ତାଙ୍କୁ ୨୧/୦୮/୨୦୨୩ ଅର୍ଥାତ ଆଜିର ଦିନକୁ ପରବର୍ତ୍ତୀ ତାରିଖ ରୂପେ ଧାର୍ଯ୍ୟ କରିଥିଲେ । ହେଲେ ମାଜିଷ୍ଟ୍ରେଟ୍ଙ୍କ ଅନୁପସ୍ଥିତି ଯୋଗୁଁ ଆଜିର ଶୁଣାଣି ମଧ୍ୟ ହୋଇପାରିନାହିଁ । ଯାହା ଫଳରେ ଆସନ୍ତା ମାସ ସେପ୍ଟେମ୍ବର ୨ ତାରିଖକୁ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି ।
ଏହା ବି ପଢନ୍ତୁ...Naba Das Murder Case: ଗୋପାଳର ଓକିଲ କହିଲେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ୍ ଯିବୁ