ଝାରସୁଗୁଡା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପଲିଗ୍ରାଫ ରିପୋର୍ଟରେ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ଅବସ୍ଥା ଭଲ ଥିବା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । କିନ୍ତୁ ପୂର୍ବରୁ ସେ ମାନସିକ ସ୍ତରରେ ଅସୁସ୍ଥ ଥିବାର ମଧ୍ୟ ପ୍ରମାଣ ଅଛି । କିଛି ବର୍ଷ ପୂର୍ବେ ସେ ଛୁଟିରେ ଥିବାବେଳେ ମାନସିକ ଅବସ୍ଥା ଠିକ୍ ନଥିବା ଦର୍ଶାଇ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦାଖଲ କରିଥିଲା ବୋଲି ଅଭିଯୁକ୍ତର ଓକଲି କହିଛନ୍ତି ।
ସୂଚନା ଅନୁଯାୟୀ, ୨୦୧୩-୧୪ରେ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଛୁଟିରେ ଥିଲା ଗୋପାଳ । ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିବାରୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମୟରେ ତା'ର ମାନସିକ ଅବସ୍ଥା ଠିକ ନଥିବାରୁ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉନଥିବା ଗୋପାଳ କହିଥିଲା । ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଇ ସେ ସ୍ବାସ୍ଥ୍ୟ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲା । ତେଣୁ ଏହାକୁ ଆଧାର କରି ତା'ର ମାନସିକ ଅବସ୍ଥା ଯାଞ୍ଚ ହୋଇଥିଲା । ଯାହାକି କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ରେ ଉଲ୍ଲେଖ ରହିଛି । ସେହିପରି ଅଭିଯୁକ୍ତର ମାନସିକ ଅବସ୍ଥା ଏବେ ଠିକ୍ ଥିବା ପଲିଗ୍ରାଫ୍ ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।
ଅଭିଯୁକ୍ତର ଓକିଲ କହିଛନ୍ତି, "ଗୋପାଳ ଦାସ ପୂର୍ବରୁ ମାନସିକ ଭାବେ ଅସୁସ୍ଥ ଥିବା ନେଇ ପ୍ରମାଣ ଅଛି । ଏନେଇ ସେ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦାଖଲ କରିଥିଲା । ହେଲେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଓ ପଲିଗ୍ରାଫ ରିପୋର୍ଟରେ ବର୍ତ୍ତମାନ ଗୋପାଳର ମାନସିକ ସ୍ଥିତ ଠିକ୍ ଥିବା ଉଲ୍ଲେଖ କରାଯାଇଛି । ତେଣୁ ମାନସିକ ଭାବେ ଅସୁସ୍ଥ ଥିବାବେଳେ ଗୋପାଳ ଏହି ଅପରାଧ ଘଟାଇଛି କି ନାହିଁ ତାହା ଟ୍ରାଏଲ ବେଳେ ଜଣାପଡିବ ।"