କ୍ରାଇମ ସିନ୍ ରିକ୍ରିଏସନ କଲା ଗୋପାଳ ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ରାଇମ ସିନ୍ ରିକ୍ରିଏସନ କରାଯାଇଛି । ଅଭିଯୁକ୍ତ ଗୋପାଳ ଦାସକୁ ଘଟଣାସ୍ଥଳକୁ ଆଣି ପାଖାପାଖି ଏକ ଘଣ୍ଟା ଧରି କ୍ରାଇମ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ନବ ଦାସ ବସିଥିବା ଗାଡ଼ିକୁ ଅଣାଯାଇ କ୍ରାଇମ ସିନ୍ ରିକ୍ରିଏସନ କରାଯାଇଥିଲା । ସେପଟେ ତଦନ୍ତକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବା ପାଇଁ କଟକରୁ ଝାରସୁଗୁଡ଼ା ଅଭିମୁଖେ ଆସୁଛନ୍ତି ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳକୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଜେରା ଚାଲିଥିଲା । କ୍ରାଇମବ୍ରାଞ୍ଚ ତନ୍ନତନ୍ନ କରି ଗୋଟିଏ ପରେ ଗୋଟିଏ ପ୍ରମାଣ ସଂଗ୍ରହ କରିଚାଲିଛି । ଗୋପାଳର ମାନସିକ ଅବସ୍ଥାର ଯାଞ୍ଚ କରିବା ପରେ ମଙ୍ଗଳବାର ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ କରାଯାଇଛି । ଆସନ୍ତାକାଲି, ଅର୍ଥାତ ବୁଧବାର ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି ଶେଷ ହେବ ।
ଏହା ପୂର୍ବରୁ ଆଜି କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ବରେ ଘଟଣାସ୍ଥଳକୁ ଗୋପାଳକୁ ଅଣାଯାଇଥିଲା । ସେଦିନ ଘଟିଥିବା ଘଟଣାକୁ ଘଟଣାସ୍ଥଳରେ ବର୍ଣ୍ଣନା କରିଥିଲା ଅଭିଯୁକ୍ତ । କିପରି ସେ ମନ୍ତ୍ରୀଙ୍କ ପାଖକୁ ଗଲା, କିପରି ବନ୍ଧୁକ ବାହାର କରି ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲା ଓ କିପରି ତାକୁ କାବୁ କରାଗଲା, ଗୋଟି ଗୋଟି କରି ବ୍ୟାଖ୍ୟା କରିଛି ଗୋପାଳ । କ୍ରାଇମ ସିନ୍ ରିକ୍ରିଏସନ ସରିବା ପରେ ଗୋପାଳକୁ ପୁଣିଥରେ ଓଏସ୍ଏପି ବାଟାଲିୟନକୁ ନିଆଯାଇଛି । ଆସନ୍ତାକାଲି ରିମାଣ୍ଡ ଅବଧି ସରୁଥିବାରୁ ତଦନ୍ତକୁ ତୀବ୍ର ଗତିରେ ଆଗେଇ ନେଉଛି କ୍ରାଇମବ୍ରାଞ୍ଚ ।
ସେପଟେ ଗୋପାଳର ରିମାଣ୍ଡ ଅବଧି ସରିବା ପୂର୍ବରୁ କଟକରୁ ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜେପି ଦାସ । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ଏହାର ତଦାରଖ କରୁଛନ୍ତି ଜଷ୍ଟିସ ଦାସ । ତେବେ ଏହି ତଦନ୍ତର ପ୍ରତ୍ୟକ୍ଷ ତଦାରଖ ପାଇଁ ସେ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କଟକ ଯାଇ ଜଷ୍ଟିସ ଜେପି ଦାସଙ୍କ ସହ ଆଲୋଚନା କରିଥିଲେ ।
ଇଟିଭି ଭାରତ, ଝାରସୁଗୁଡ଼ା