ଓଡିଶା

odisha

By

Published : Feb 12, 2023, 10:14 PM IST

ETV Bharat / state

Naba Das Murder Case: ସରିଲା ନାର୍କୋ ଟେଷ୍ଟ, ମାନସିକ ଅସ୍ଥିରତାରୁ ହତ୍ୟା କରିଛି କହିଲା ଗୋପାଳ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି । ମାନସିକ ଅସ୍ଥିରତାରୁ ମନ୍ତ୍ରୀଙ୍କୁ ଗୁଳି କରିଥିବା ଅଭିଯୁକ୍ତ ନାର୍କୋ ଟେଷ୍ଟରେ ସ୍ବୀକାର କରିଥିବା ସୂଚନା । ଅଧିକ ପଢନ୍ତୁ

ସରିଲା ଅଭିଯୁକ୍ତର ନାର୍କୋ ଟେଷ୍ଟ
ସରିଲା ଅଭିଯୁକ୍ତର ନାର୍କୋ ଟେଷ୍ଟ

ଭୁବନେଶ୍ବର:ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଗୋପାଳ ଦାସର ନାର୍କେ ଟେଷ୍ଟ ଶେଷ ହୋଇଛି । ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଏହି ନାର୍କୋ ଟେଷ୍ଟ କରାଯାଇଛି । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗୋପାଳର ନାର୍କୋ ଟେଷ୍ଟ କରିଥିବା FSL ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋପାଳ ଦାସ ନିଜେ ନାର୍କୋ ପରୀକ୍ଷାରେ ମାନସିକ ସ୍ତରରେ ଅସୁସ୍ଥ ଥିବା ଦାବି କରିଛି । ସେ ଗତ ଦୁଇ ମାସ ଧରି କୌଣସି ଔଷଧ ସେବନ କରିନଥିଲା । ଫଳରେ ତାର ମାନସିକ ସ୍ଥିତି ଆହୁରି ବିଗିଡି ଯାଇଥିଲା । ମାନସିକ ଅସ୍ଥିରତା ପାଇଁ ରାଗରେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚଳାଇଥିବା ଅଭିଯୁକ୍ତ ଗୋପାଳ ନାର୍କୋ ଟେଷ୍ଟରେ ସ୍ବୀକାର କରିଥିବା ସୂଚନା ମିଳିଛି ।

ହେଲେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଶେଷ ହୋଇଥିଲେ ସୁଦ୍ଧା ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ପକ୍ଷରୁ ଫଳାଫଳ ନେଇ କିଛି କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅଭିଯୁକ୍ତ ଗୋପାଳକୁ ଓଡିଶା ଅଣାଯାଉଛି । କ୍ରାଇମବ୍ରାଞ୍ଚ ପୁଣି ଥରେ ତାକୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିପାରେ । ଦୁଇଥର ଅଭିଯୁକ୍ତ ଗୋପାଳ ରିମାଣ୍ଡରେ ଆସିଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ତର ପ୍ରକୃତ କାରଣ ଜାଣିବାରେ ସଫଳ ହୋଇନାହିଁ । ବିଭିନ୍ନ ଦିଗକୁ ନେଇ ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତର ମାନସିକ ରୋଗ ହିଁ ପ୍ରାଥମିକ ସନ୍ଦେହ ପରିସରରେ ରହିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି(ଶନିବାର) ଅଭିଯୁକ୍ତ ଗୋପାଳ ଦାସର ଗାନ୍ଧିନଗର ଏଫଏସଏଲରେ ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଏଥିରେ ଅଭିଯୁକ୍ତ ନିଜେ ସ୍ବୀକାର କରିଛି ଯେ ତାର ମାନସିକ ଅବସ୍ଥା ଭଲ ନ ଥିବାରୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କରିଛି । ମନ୍ତ୍ରୀଙ୍କ ସହ ଅଭିଯୁକ୍ତର କୌଣସି ପୂର୍ବ ଶତ୍ରୁତା କିମ୍ବା କୌଣସି ରାଜନୈତିକ ଶତ୍ରୁତା ନଥିଲା । କିନ୍ତୁ ଗତ 2 ମାସରୁ ସେ ମାନସିକ ଔଷଧ ସେବନ କରିନଥିଲା । ତେଣୁ ତାର ମାନସିକ ଅସ୍ଥିରତା ବଢିବାରେ ଲାଗିଥିଲା । ତେଣୁ ସେ ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ଚଳାଇଥିଲା । ଗାନ୍ଧିନଗର FSLରେ ଅଭିଯୁକ୍ତର ନର୍କୋ ଟେଷ୍ଟ ଶେଷ ହେବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଅଭିଯୁକ୍ତକୁ ଧରି ଗାନ୍ଧିନଗରରୁ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି ।

29 ତାରିଖରେ ଝାରସୁଗୁଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏସଆଇ ଗୋପାଳ ଦାସ ଗୁଳି ଚଳାଇଥିବା ପୋଲିସ କହିଥିଲା । ଗୋପାଳକୁ ତୁରନ୍ତ ଗିରଫ କରାଯାଇଥିଲା । ମନ୍ତ୍ରୀ ଦାସଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏୟାର ଲିଫ୍ଟ କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଏକ ଷଡଯନ୍ତ୍ର ବୋଲି ବିରୋଧୀ କହୁଥିବା ବେଳେ ପୋଲିସ ଅଭିଯୁକ୍ତ ଗୋପାଳକୁ କ୍ରମାଗତ ଜେରା ପରେ ମଧ୍ୟ ନିର୍ଦ୍ଦିଷ୍ଟ କାରଣରେ ପହଞ୍ଚି ନପାରିବା ସନ୍ଦେହକୁ ଆହୁରି ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details