ଝାରସୁଗୁଡା:ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଖୋଳତାଡ ଜାରି ରହିଛି । ଅଭିଯୁକ୍ତ ଗୋପାଳ ଦାସକୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ପଚରାଉଚରା ଚାଲିଛି । କ୍ରାଇମବ୍ରାଞ୍ଚ ଟିକିନିକ୍ କରି ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗାଡ କରିବାରେ ଲାଗି ପଡିଛି । ଗୋପାଳକୁ ଜେରା କରାଯିବା ସହ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହେବାର ଥିବାବେଳେ ପରିବାର ଓ ତାର ସମ୍ପର୍କୀୟମାନଙ୍କର ମଧ୍ୟ ଯାଞ୍ଚ କରାଯିବାର ସମ୍ଭାବନା ରହିଛି । କିନ୍ତୁ ମନ୍ତ୍ରୀଙ୍କ ହତ୍ୟାକୁ ଇତିମଧ୍ୟରେ ୧୦ ଦିନ ପୁରିଥିଲେ ହେଁ ଏବେ ଯାଏଁ ହତ୍ୟା ପଛର ପ୍ରକୃତ କାରଣ ଖୋଜି ପାଇନାହିଁ କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ ଆଜି ଝାରସୁଗୁଡ଼ା ଓଏସ୍ଏପି ଦ୍ବିତୀୟ ବାଟାଲିୟନ ଠାରେ ପହଞ୍ଚିଛି ନିମହାନ୍ସ ଟିମ୍ । ନିମହାନ୍ସର ବିଶେଷଜ୍ଞ ଟିମ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବେ । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡ ଶେଷ ହେବାକୁ ଥିବାବେଳେ କ୍ରାଇମ ସିନ୍ ରିକ୍ରିଏସନ ଉପରେ ମଧ୍ୟ ନଜର ରହିବ । ବର୍ତ୍ତମାନ ସୁଦ୍ଧା କ୍ରାଇମସିନ୍ ରିକ୍ରିଏସନ ହୋଇପାରିନଥିବା ବେଳେ ଗୋପାଳଙ୍କର ମାନସିକ ଅବସ୍ଥାର ଯାଞ୍ଚ ପରେ ଏହା ହୋଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ପୁଅ ବିଶାଳ ଦାସ ପ୍ରୟାଗରାଜରେ ଆଜି ଦିବଙ୍ଗତ ପିତା ମନ୍ତ୍ରୀ ନବ ଦାସଙ୍କ ଦଶାହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆଜି ଝାରସୁଗୁଡ଼ା ଫେରିବାର କାର୍ଯ୍ୟକ୍ରମ ରହିଛି ।