ଝାରସୁଗୁଡା: ଶିଳ୍ପ ସମୃଦ୍ଧ ସହର ବା କୋଇଲା ନଗରୀ ଭାବେ ବେଶ ଜଣାଶୁଣା ଝାରସୁଗୁଡା । ଏହାସହ ଜିଲ୍ଲାର ଅନ୍ୟତମ ପରିଚୟ ହେଉଛି ମା' ରାମଚଣ୍ଡୀଙ୍କ ମନ୍ଦିର । ଝାରସୁଗୁଡ଼ା ସହର ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ସହର ନିକଟସ୍ଥ ଇବ ଓ ଭେଡ଼େନ ନଦୀର ମିଶ୍ରଣ ସ୍ଥଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ରହିଅଛି ରାମଚ଼ଣ୍ଡୀ ମନ୍ଦିର ।
ସୂଚନା ଅନୁସାରେ, ଇବ ନଦୀ ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ବେଳେ ଭେଡ଼େନ ନଦୀ ଝାରସୁଗୁଡା ଜିଲ୍ଲାରୁ ଆସିଛି । ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳରୁ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥାଏ । ଏହି ପୀଠକୁ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବାକୁ ହେଲେ ପାହାଡ ତଳକୁ ଓହ୍ଲାଇବାକୁ ଏକ ଲୌହ ନିର୍ମିତ ଗୋଳେଇ ଆକାର ସିଡ଼ିର ସାହାଯ୍ଯ ନେଇଥାନ୍ତି । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଉଛନ୍ତି । ଏହି ଚ଼ଣ୍ଡି ପୀଠ ପଶ୍ଚିମଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ । ଏଠାରେ ବର୍ଷ ତମାମ ଭକ୍ତମାନେ ଅଧିଷ୍ଠାତ୍ରୀ ଦେବୀ ମା' ରାମଚଣ୍ଡୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।
ଦୁଇଟି ନଦୀ ଅତିକ୍ରମ କରି ଭକ୍ତମାନେ ଆସିବାପରେ ଲୁହା ସିଡି ଦେଇ ପାହାଡ ତଳେ ଥିବା ଏକ ଛୋଟିଆ ଗୁ୍ମ୍ପାରେ ମା’ ଙ୍କୁ ଦର୍ଶନ କରନ୍ତି । ପୂର୍ବରୁ ଭକ୍ତମାନେ ପାହାଡ ଉପରେ ଥିବା ବରଗଛ ଓହଳ ଚେର ସାହାଯ୍ୟରେ ଯିବା ଆସିବା କରୁଥିଲେ ।