ଝାରସୁଗୁଡ଼ା: ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶ ବାଟଦେଇ ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏମାନେ ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଭରତପୁର ଜଙ୍ଗଲରେ ଏମାନେ ଥିବାବେଳେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି । ତେବେ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଜଙ୍ଗଲ ପାଖରେ ରହୁଥିବା ଗାଁ ଲୋକେ ଏହି ବିନାଶକାରୀ ପତଙ୍ଗକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ, ବାଜା ବାଜା ଚେଷ୍ଟା ଚଳାଇଛନ୍ତି ।
କୋରୋନା ମହାମାରୀ ସହ ଦେଶ ଲଢ଼େଇ କରୁଥିବା ବେଳେ ଏବେ ଆଉ ଏକ ବିପଦ ସାଜିଛନ୍ତି ପଙ୍ଗପାଳ । ଦେଶର ବିଭିନ୍ନ ସ୍ଥାନରେ କ୍ଷତି ଘଟାଇ ଏବେ ଛତିଶଗଡ଼ରେ ପହଁଞ୍ଚିଛନ୍ତି । ତେବେ ଓଡ଼ିଶାରେ 15 ରୁ 20 ଦିନ ଭିତରେ ପଙ୍ଗପାଳ ପହଞ୍ଚିପାରନ୍ତି ବୋଲି ଅନୁମାନ କରାଯାଉଛି। ଛତିଶଗଡ଼ କୋରିଆ ଜିଲ୍ଲାରୁ ଝାରସୁଗୁଡ଼ାରେ ଥିବା ଓଡିଶା ଛତିଶଗଡ଼ ସୀମାନ୍ତ ଅଞ୍ଚଳର ଦୂରତା ପାଖାପାଖି 350 କିଲୋମିଟର । ଏମାନେ ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ବରଗଡ଼, ସମ୍ବଲପୁର, ନୂଆପଡ଼ା, କଳହାଣ୍ଡି ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଉପଦ୍ରବ କରି ପାରନ୍ତି ବୋଲି ଖାଦ୍ୟ ଓ କୃଷି ସଂଗଠନ ଅନୁମାନ କରିବା ପରେ ବଢିଛି ସତର୍କତା ।