ଝାରସୁଗୁଡା:କୋରୋନା କଟକଣାର ଦୁଇ ବର୍ଷ ପରେ ଝାରସୁଗୁଡାରେ ଜିଲ୍ଲା ଲୋକ ମହୋତ୍ସବ ଦୁଲଦୁଲି ଆୟୋଜିତ ହୋଇଛି । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ସାଂସ୍କୃତିକ ଶୋଭାଯାତ୍ରାରୁ ଏହି ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାର ଆରାଧ୍ୟ ଦେବତା ଝାଡ଼େଶ୍ୱରଙ୍କର ପୀଠରେ ପୂଜାର୍ଚ୍ଚନା କରାଯିବା ସହ ଶନିବାର ଅପରାହ୍ନରେ ଏକ ସାସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ସମେତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଦୁଲଦୁଲିର ସଂଯୋଜକ ତାପସ ରାୟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।
ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ପ୍ରଥମ କରି ଜାନୁଆରୀ ପହିଲା ବଦଳରେ ଶନିବାର ଦିନ ସରବାହାଲ ପଡ଼ିଆରେ ଉଦଘାଟିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ସରୋଜ ସାମଲ, ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ଝାରସୁଗୁଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ପଟେଲ ଉପସ୍ଥିତ ରହିଥିଲେ । ସଂସ୍କୃତି, କଳା, ଶିଳ୍ପ ଓ ଆଧୁନିକତାର ପ୍ରତୀକ ହେଉଛି ଝାରସୁଗୁଡ଼ା ଜିଲ୍ଲା । ଝାରସୁଗୁଡ଼ା ହେଉଛି ମିନି ଇଣ୍ଡିଆ ଏଠି ଭାଇଚାରା ସହିତ ସମସ୍ତ ପର୍ବପର୍ବାଣୀ ପାଳନ ହୁଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦୁଲଦୁଲିର ମୁଖପତ୍ର ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।