ଝାରସୁଗୁଡା:ନିଖୋଜ ଯୁବକ ଶେଖ୍ ଅଶରଫଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ଟାଉନ ଥାନା ପୋଲିସ । ଅଶରଫଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିଲା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁର୍ଲଗା ଗ୍ରାମର ପ୍ରବୀର ମାକର ଓ ଶ୍ରୀକାନ୍ତ ପିଙ୍କ ନାମକ ଦୁଇ ଯୁବକ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏହାପରେ ଗାତ ଖୋଳି ମୃତଦେହ ପୋତି ଦେଇଥିଲେ । ଏହି ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଶୁକ୍ରବାର ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ଅଶରଫ୍(୩୦) ଗାଁ ଗାଁ ବୁଲି ଲୁହାଟିଣ ସଂଗ୍ରହ କରି ପେଟ ପୋଷୁଥିଲେ l ଦିନେ ସେ ଦୁର୍ଲଗା ଅଞ୍ଚଳରେ ଦୀର୍ଘ ଦିନ ହେଲା ବନ୍ଦ ପଡିଥିବା ଜେଏସପିଏଲ କାରଖାନା ନିକଟକୁ ଯାଇଥିଲେ । ଏହି ସମୟରେ ଦୁର୍ଲଗା ଗ୍ରାମର ପ୍ରବୀର ମାକର ଓ ଶ୍ରୀକାନ୍ତ ପିଙ୍କ ସହିତ କୌଣସି କାରଣବଶତଃ ତାଙ୍କର ବଚସା ହୋଇଥିଲା । ଏହାକୁ ନେଇ ସେମାନେ ଏକ ପଥରରେ ଅଶରଫଙ୍କୁ ଛେଚି ମାରିବା ପରେ ପୋତି ଦେଇଥିଲେ l