ଝାରସୁଗୁଡ଼ା:ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ କରିବା ପାଇଁ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନର ଉନ୍ନତି, ଆଧୁନିକୀକରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ରେଳ ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟ ତ୍ଵରାନ୍ବିତ ପୂର୍ବକ ଶୀଘ୍ର ସମ୍ପନ୍ନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ, ବିଳାସପୁର ଡିଆରଏମ, ଚକ୍ରଧର ଡିଆରଏମଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାରେ ରେଳ ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ତ୍ଵରାନ୍ବିତ କରାଯିବା, ଫୁଟ ଓଭର ବ୍ରିଜ,ଏସ୍କଲେଟର, ଲିଫ୍ଟ, ଆବଶ୍ୟକସ୍ଥଳେ ଓଭର ବ୍ରିଜ, ଅଣ୍ଡର ବ୍ରିଜ ଆଦି କାର୍ଯ୍ୟ ଶୀଘ୍ର ସାରିବା ସହ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ଓ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଛି। ଆଧୁନିକ ଝାରସୁଗୁଡ଼ା ଜିଲ୍ଲା ଗଠନରେ ରେଳ ବିଭାଗର ଭୂମିକା କିପରି ଫଳପ୍ରଦ ହେବ ସେ ଦିଗରେ ସାଂସଦ ସୁରେଶ ପୂଜାରୀ ଉଭୟ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀମାନେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଧାୟିକା ସୁଶ୍ରୀ ଦୀପାଳି ଦାସ ରେଳ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ଚୌକିପଡ଼ା ଓଭର ବ୍ରିଜ , ବସଷ୍ଟାଣ୍ଡରେ ଥିବା ଦୋକାନୀମାନଙ୍କ ଥଇଥାନ ଉପରେ ଉଲ୍ଲେଖ କରିଥିଲେ।