ଝାରସୁଗୁଡା: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ଚମ୍ପିଆନସିପ ଶେଷ ହୋଇଛି । ଟାଇକୋଣ୍ଡ ଓ କରାଟେ ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା ଦଳଗତ ଚମ୍ପିଆନ ହୋଇଛି । ଆସୋସିଏସନ ତରଫରୁ ସମସ୍ତ ୫୮ଜଣ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ ଖେଳାଳି ତଥା ଦଳର କୋଚଙ୍କୁ ସମ୍ମାନିତ କରିଛନ୍ତି ।
ଟାଇକୋଣ୍ଡୋ ବିଜୟୀ ଖେଳାଳିଙ୍କ ଭବିଷ୍ୟତର ଦାୟିତ୍ବ ଝାରସୁଗୁଡ଼ା ନେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣମନ୍ତ୍ରୀ ନବ ଦାସ ଜିଲ୍ଲାକୁ ଖେଳ ବିଭାଗରେ ଆଗେଇ ନେବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଅନେକ ଷ୍ଟାଡିୟମ ନିର୍ମାଣ କରାଉଛନ୍ତି । ହକି, କ୍ରିକେଟ, ଫୁଟବଲ, ଆଥଲେଟିକ ଆଦି ଖେଳକୁ ଗୁରୁତ୍ବ ଦେଇଥିବା ବେଳେ ବର୍ତ୍ତମାନ ଟାଇକୋଣ୍ଡା ଓ କରାଟେକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଏହି ପ୍ରତିଯୋଗିତାରେ ୫୮ଜଣ ଖେଳାଳି ବିଜୟୀ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ଖେଳରେ ଉନ୍ନତି ଆଣିବା ପାଇଁ ସ୍ବତନ୍ତ୍ର ପ୍ରୟାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, '' ଓଡିଶାରେ ନାଁ କରିଛି ଝାରସୁଗୁଡା ଜିଲ୍ଲା । ୫୮ଟି ମେଡାଲ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ପିଲାଏ । ଏମାନଙ୍କୁ ସ୍ନେହ ଆଶୀର୍ବାଦ ଓ ସମ୍ମାନିତ କରିବା ଆମ ଝାରସୁଗୁଡାବାସୀଙ୍କ କର୍ତ୍ତବ୍ୟ ।''