ଝାରସୁଗୁଡା: ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି। ହୀରାକୁଦ ନଦୀ ବନ୍ଧା ଯୋଜନା ବିସ୍ଥାପନକୁ ୬୫ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳି ପାରିନଥିବା ଅଭିଯୋଗ କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି। ୯ଟି ଗାଁର ପ୍ରାୟ ୧୦ହଜାରରୁ ଅଧିକ ଲୋକଙ୍କୁ ଏଯାଏଁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି ବୁଡି ଅଞ୍ଚଳ ସଂଗ୍ରାମ ସମିତି।
ବିସ୍ଥାପନକୁ ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ନା ମିଳିଛି କ୍ଷତିପୂରଣ ଓ ଥଇଥାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହୋଇଥିବା ପରିବାର ବର୍ତ୍ତମାନ ଭବିଷ୍ୟତ ଚିନ୍ତାରେ ସମୟ ବିତାଉଛନ୍ତି। ୧୯୫୫ ମସିହାରେ ହୀରାକୁଦ ନଦୀବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା। ସରକାରଙ୍କ ହାତକୁ ନିଜ ଭିଟାମାଟି ଟେକି ଏଠାକାର ବାସିନ୍ଦା। ତେବେ ସରକାରଙ୍କ ଉଦାସୀନତା ଓ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଦୀର୍ଘ ପରେ ବି ଲୋକଙ୍କୁ କ୍ଷତିପୂରଣ ମିଳିପାରିନାହିଁ। କେବଳ ମିଳିଛି ପ୍ରତିଶୃତି। ବିସ୍ଥାପିତ ହୋଇଥିବା ଲୋକମାନେ ସେମାନଙ୍କ ଜୀବନର ଅଧାରୁ ଅଧିକ ସମୟ ଅନେକ ଦୁଃଖ କଷ୍ଟରେ କଟାଇସାରିଲେଣି। ବର୍ତ୍ତମାନ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି। ଏହାସହ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଏକ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।