ଝାରସୁଗୁଡ଼ା: ଜିଲ୍ଲାରେ କନ୍ୟା ଭୃଣହତ୍ୟା ନିଷେଧ କରିବା ସହ ଲିଙ୍ଗ ନିରୂପଣ ପ୍ରତିଷେଧ ଅଧିନିୟମ ୧୯୯୪ କଡ଼ାକଡ଼ି ଭାବରେ ପାଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପି.ସି.ପି.ଏନ.ଡି.ଟି (Pre-Conception and Pre-Natal Diagnostic Techniques) ଜିଲ୍ଲା ଉପଦେଷ୍ଟା କମିଟି ବୈଠକରେ ଏନେଇ ଆଲୋଚନା କରିଥିଲେ ଜିଲ୍ଲାପାଳ ସରୋଜ କୁମାର ସାମଲ ।
ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ପି.ସି.ପି.ଏନ.ଡି.ଟି (Pre-Conception and Pre-Natal Diagnostic Techniques) ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ହେଉଥିବା କନ୍ୟା ଭୃଣହତ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଜିଲ୍ଲାପାଳ । ଏଭଳି ପାପକୁ ଜିଲ୍ଲାରେ ନିଷେଧ କରିବା ସହ ଲିଙ୍ଗ ନିରୂପଣ ପ୍ରତିଷେଧ ଅଧିନିୟମ ୧୯୯୪ କଡ଼ାକଡ଼ି ଭାବରେ ପାଳନ ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ସଦସ୍ୟଙ୍କ ସହାୟତା ଲୋଡ଼ିଥିଲେ ଜିଲ୍ଲାପାଳ । ଏହା ସହିତ ଯଦି କୌଣସି ଅଲଟ୍ରାସାଉଣ୍ଡ ୟୁନିଟରେ ଲିଙ୍ଗ ନିରୂପଣ ହେବାର ସୂଚନା ମିଳେ ତେବେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖି ତାଙ୍କୁ ୨୫୦୦୦ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।