ଓଡିଶା

odisha

Jharsuguda Bypoll: ଧୂଆଁଧାର ପ୍ରଚାର, ବିଶାଳ ରୋଡ଼ ସୋ' କଲେ ଦୀପାଳି

By

Published : May 4, 2023, 3:25 PM IST

ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାରରେ କମ୍ପୁଛି ଝାରସୁଗୁଡା l ବିଶାଳ ରୋଡ଼ ସୋ' କଲେ ଦୀପାଳି ଦାସ । ଅଧିକ ପଢନ୍ତୁ

Jharsuguda Bypoll
Jharsuguda Bypoll

Jharsuguda Bypoll

ଝାରସୁଗୁଡା: ପ୍ରଚାରରେ କମ୍ପୁଛି ଝାରସୁଗୁଡା l ଉପନିର୍ବାଚନକୁ 6 ଦିନ ବାକିଥିବା ବେଳେ ମାଇକ ଓ ଡିଜେ ଧରି ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ପ୍ରାର୍ଥୀ । ବିଶେଷକରି ପ୍ରଚାରରେ ଆଗରେ ରହିଛି ବିଜୁ ଜନତା ଦଳ l ଆଜି ସକାଳୁ ଝାରସୁଗୁଡା ବମ୍ବେ ଛକରୁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବିଶାଳ ରୋଡ଼ ସୋ' କରିଛନ୍ତି l ଡୋର ଟୁ ଡୋର କ୍ୟାମ୍ପେନିଂ ସାଙ୍ଗକୁ ସାଧାରଣ ସଭା କରି ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ 6,7,8,9,10,11,18 ନମ୍ବର ୱାର୍ଡରେ ଆଜି ପ୍ରଚାର କରିଛନ୍ତି l ଏହି ପ୍ରଚାରରେ ଦୀପାଳି ଦାସଙ୍କ ସହ ବିଜେଡି ନେତା ପ୍ରତାପ ଜେନା, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂ ଦେଓ, ବର୍ଷା ସିଂହ ବରିହା, ଶ୍ରୀମୟି ମିଶ୍ର, ସଂଜିତ ମହାନ୍ତି ପ୍ରମୁଖ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହି ଭୋଟ ଭିକ୍ଷା କରିଛନ୍ତି l

ବିଜେଡି ନେତାଏ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଦେବା ସହ ତାଙ୍କ ଦଳର ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ବିପୁଳ ପରିମାଣର ଭୋଟ ଦେଇ ବିଜୟୀ କରିବା ପାଇଁ ଅନୁରୋଧ କରୁଛନ୍ତି l ସେହିପରି ଦୀପାଳି ଦାସ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ବାପା ସ୍ବର୍ଗତ ନବ ଦାସ ଯେପରି ଝାରସୁଗୁଡାର ବିକାଶ ପାଇଁ କାର୍ଯ୍ୟ କରୁଥିଲେ ତା' ଠାରୁ ଅଧିକ କାର୍ଯ୍ୟ କରି ଦେଖାଇବେ l କାରଣ ବାପା ହିଁ ଶିଖେଇଛନ୍ତି ଲୋକଙ୍କ ସେବା ଏବଂ ମା' ମଟିର ଉନ୍ନତି ପାଇଁ କାମ କିପରି କରାଯାଏ l ଝାରସୁଗୁଡାର ବିକାଶ ପାଇଁ ନବ ଦାସ ଦେଖିଥିବା ପ୍ରତ୍ୟେକ ସ୍ବପ୍ନ ଗୋଟିଏ ପରେ ଗୋଟିଏ ପୂରଣ ହେବ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାପାଙ୍କ ଆଶୀର୍ବାଦରେ ସେ ସବୁ ସ୍ୱପ୍ନ ପୂରଣ କରିବା ଦିଗରେ କାର୍ଯ୍ୟ କରିବେ ଦୀପାଳି ବୋଲି କହିଛନ୍ତି l

ଆସନ୍ତା ୧୦ ତାରିଖରେ ଉପନିର୍ବାଚନ ଥିବାବେଳେ ଝାରସୁଗୁଡାବାସୀ ତାଙ୍କୁ ଆଶୀର୍ବାଦ କରି ବିପୁଳ ପରିମାଣର ଭୋଟରେ ଜୟଯୁକ୍ତ କରାନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସାମିଲ ହୁଅନ୍ତୁ ବୋଲି ଦୀପାଳି ଜନତାଙ୍କୁ ଅନୁରୋଧ କରିଛନ୍ତି l ଆଜିର କାର୍ଯକ୍ରମରେ ହରିଶ ଗଣାତ୍ରା, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ, ମଦନ ହାତୀ, ପ୍ରଶାନ୍ତ ଜେନା, ଅଶୋକ ଦାସ, ସରିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି, ଦୀପାଳିଙ୍କ ପ୍ରତି ଜନସମର୍ଥନ ବଢୁଥିବାର ଦେଖାଯାଉଛି ।

ଏହାରି ଭିତରେ ଉପନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ବିଜେପିକୁ ଶକ୍ତ ଲାଗିଛି । ଦଳ ଛାଡିଛନ୍ତି ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ । ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦପଦବୀରେ ଥିବା ମଙ୍ଗଲ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଭୋଟର କାହାକୁ ନିଜର ନେତା ବାଛୁଛନ୍ତି ତାହା ୧୦ ତାରିଖ ପରେ ଜଣାପଡିବ ।


ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details