ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଦଳର ରାଜ୍ୟସ୍ତରୀୟ ଶୀର୍ଷନେତାଙ୍କ ଗହଣରେ ଆସି ତରୁଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନ 11 ଟାରେ ଝାରସୁଗୁଡା ସହରର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରା ବେଳେ ବରିଷ୍ଠ ନେତାଙ୍କ ସହ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ ।
ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ । ଏନେଇ ପ୍ରାର୍ଥୀ ତରୁଣ କହିଛନ୍ତି ଉପନିର୍ବାଚନରେ ସ୍ଥାନୀୟ ନିଯୁକ୍ତି, ପ୍ରଦୂଷଣ, ପାନୀୟଜଳ ସମସ୍ୟା, ଦୁର୍ନୀତି ଭଳି ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ଲଢିବେ । ଗତ 23 ବର୍ଷରେ ଝାରସୁଗୁଡାର କୌଣସି ବିକାଶ ହୋଇନାହିଁ । ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ ବୋଲି କହିଛନ୍ତି । ଏତତ ବ୍ୟତୀତ ବାପା ବିରେନ୍ଦ୍ର ପାଣ୍ଡେ କରିଥିବା ବିକାଶ ଓ ବର୍ତ୍ତମାନର ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ । ଲୋକଙ୍କ ବୁଝାଇବେ, ସମର୍ଥନ ଲୋଡିବେ ବୋଲି କହିଛନ୍ତି । ସେହିପରି ଝାରସୁଗୁଡ଼ାରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ତାରା । ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏହି ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।