ଝାରସୁଗୁଡା:ଉପନିର୍ବାଚନ ପାଇଁ ଝାରସୁଗୁଡାରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ସହ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାର ପ୍ରତିଶୃତି ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଗୁରୁବାର ଦୀପାଳି ଝାରସୁଗୁଡା ବ୍ଲକ ଦଳକି ପଞ୍ଚାୟତର କୁଦୋପଡା, ପୂର୍ଣ୍ଣା, ବଞ୍ଜାରି, କୁମୁଡାପାଳ, ଦଳକି, କାତିକେଳା, ଭୂରକାମୁଣ୍ଡା, ବୃନ୍ଦାମାଲରେ ରାଲି ସହ ଘର ଘର ବୁଲି ପ୍ରଚାର କରିଛନ୍ତି । ତେବେ ପ୍ରଚାର ସମୟରେ ଦୀପାଳଙ୍କ ପ୍ରତି ବିପୁଳ ଜନସମର୍ଥନ ମିଳୁଥିବାର ଦେଖାଯାଉଛି । ଗାଁ ଗାଁରେ ଲୋକେ ତାଙ୍କୁ ସ୍ନେହ ଓ ଆଦରରେ ସ୍ବାଗତ କରୁଛନ୍ତି ।
ଦଳକି ପଞ୍ଚାୟତରେ ପ୍ରଚାର ସମୟରେ ଦୀପାଳିଙ୍କ ସହିତ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଅରୁଣ ସାହୁ ଓ ବିଜୁ ଜନତା ଦଳର ବରିଷ୍ଠ ନେତୃ ମଣ୍ଡଳୀ ସାମିଲ ହୋଇଥିଲେ । ଦୀପାଳିଙ୍କ ସହ ସମସ୍ତ ନେତୃମଣ୍ଡଳୀ ଘର ଘର ବୁଲି ନବୀନ ପଟ୍ଟନାୟକଙ୍କ ବିକାଶରେ ବାର୍ତ୍ତା ପହଞ୍ଚାଇ ଥିଲେ । ଏହାସହିତ ବାପା ନବ ଦାସ କରିଥିବା ବିକାଶ କାର୍ଯ୍ୟ ଆଗେଇ ନେବା ପାଇଁ ତାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟା ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ବିଜେଡି ପ୍ରାର୍ଥୀ ।
ଦୀପାଳି କହିଛନ୍ତି ଯେ, ବାପା ନବ ଦାସଙ୍କ ଅବର୍ତ୍ତମାନରେ ରହି ଯାଇଥିବା ସମସ୍ତ ବିକାଶ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂରଣ କରିବେ ଏବଂ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇ ରହିବେ । ଏହି ଅବସରରେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ''ଲୋକ ପ୍ରକୃତରେ ଦୀପାଳି ଦାସଙ୍କୁ ଚାହୁଁଛନ୍ତି, ଆଦର କରୁଛନ୍ତି । ବିଜୁ ଜନତା ଦଳ ପ୍ରତି ଲୋକଙ୍କ ବିଶ୍ବାସ ରହିଛି । ସ୍ବର୍ଗତ ନବ ଦାସଙ୍କ ଦ୍ବାରା ଅଧୁରା ରହିଯାଇଥିବା ବିକାଶ ତାଙ୍କର ଝିଅ ପୁରା କରିବ ବୋଲି ଲୋକଙ୍କ ଭରସା ଓ ବିଶ୍ବାସ ରହିଛି । ତେଣୁ ଦୀପାଳିଙ୍କୁ ଜୟଯୁକ୍ତ କରିବାକୁ ଲୋକେ ମନସ୍ଥ କରିସାରିଛନ୍ତି । ଉପନିର୍ବାଚନ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ଦୀପାଳି ନିଶ୍ଚିତ ଭାବେ ବିପୁଳ ଭୋଟରେ ବିଜୟୀ ହେବେ ।''
ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡିଥିଲା । ତେଣୁ ଆସନ୍ତା ମେ' ୧୦ ତାରିଖରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ପକ୍ଷରୁ ଦିବଙ୍ଗତ ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଆସନ୍ତା ନିର୍ବାଚନରେ ଦୀପାଳି ବିପୁଳ ସଂଖ୍ୟକ ଭୋଟରେ ଜିତିବେ ବୋଲି ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି ।
ଇଟିଭି ଭାରତ, ଝାରସୁଗୁଡା