ଝାରସୁଗୁଡା: ଆସନ୍ତା ମେ' ୧୦ରେ ଝାରସୁଗୁଡା ଉପନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ଘରକୁ ଘର ବୁଲି ନାନା ମତେ ଭୋଟରକୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଉପନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଆଦର୍ଶ ଆଚରଣ ବିଧିର ଯେପରି ଉଚିତ୍ ଅନୁପାଳନ ହେବେ ସେନେଇ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରୁଛି । ଏହି ପରିପ୍ରେକ୍ଷୀରେ ଗତକାଲି (ମଙ୍ଗଳବାର) ଝାରସୁଗୁଡା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଆଭାସୀ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି ।
କୌଣସି ନିୟମିତ, ଚୁକ୍ତିଭିତ୍ତିକ, ସାମୟିକ ଓ ଆଉଟ ସୋର୍ସିଙ୍ଗ ଦ୍ୱାରା ନିଯୁକ୍ତି ପ୍ରାପ୍ତ କର୍ମଚାରୀ ଯେପରି ଆସନ୍ତା ନିର୍ବାଚନରେ କେଉଁ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନକରିବେ କିମ୍ବା ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳ ବା ପ୍ରାର୍ଥୀଙ୍କୁ ଭୋଟଦାନ ପାଇଁ ପ୍ରରୋଚିତ କରିବା ଭଳି କାର୍ଯ୍ୟ ନକରିବେ ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ନରୱଣେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି କର୍ମଚାରୀ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିବାର ଦୃଷ୍ଟିଗୋଚର ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଝାରସୁଗୁଡାରେ ବଢୁଛି ବିଜେଡି ବଳ, ଦଳରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ