ଝାରସୁଗୁଡା:ଉପନିର୍ବାଚନକୁ ନେଇ ସରଗରମ ରହିଛି ଝାରସୁଗୁଡା ରାଜନୀତି । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ । ଭୋଟରଙ୍କ ମନ ଜିଣିବାକୁ ଲାଗି ପଡିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଏଥିପାଇଁ କେଉଁଠି ସଭା ସମିତି ତ ଆଉ କେଉଁଠି ହେଉଛି କର୍ମୀ ସମ୍ମିଳନୀ । ସେହିପରି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାରଠୁ ବିଧିବଦ୍ଧ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି ଲଇକେରା ବ୍ଲକର ନିକ୍ତିମାଲ, ରଙ୍ଗେଆଟିକ୍ରା, ଠାକୁରପଡ଼ା ଆଦି ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ଦୀପାଳିଙ୍କ ସହ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବରିଷ୍ଠ ବିଜେଡି ନେତା ମଧ୍ୟ ପ୍ରଚାର କରିଛନ୍ତି ।
ଦୀପାଳି ଦାସଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶରେ ବାର୍ତ୍ତା ଦେବା ସହ ସ୍ବର୍ଗତ ନବ ଦାସ ଦେଖିଥିବା ଝାରସୁଗୁଡାର ବିକାଶ ସ୍ବପ୍ନ ସ୍ବପ୍ନକୁ ଆଗେଇ ନେବାକୁ କହି ଭୋଟ ଭିକ୍ଷା କରିଛନ୍ତି । ଦୀପାଳି ଗତକାଲି ଠାରୁ ପ୍ରଚାର ଜୋରଦାର କରିଥିବାବେଳେ ଗାଁ ଗାଁରେ ଲୋକେ ତାଙ୍କୁ ସ୍ଵାଗତ କରିଛନ୍ତି । ଝାରସୁଗୁଡା ଉପନିର୍ବାଚନରେ ବିଜେଡିକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଦୀପାଳି ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ବାପା ନବ ଦାସଙ୍କ ଅବର୍ତ୍ତମାନରେ ରହି ଯାଇଥିବା ସମସ୍ତ ବିକାଶ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପୂରଣ କରିବେ ଏବଂ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇ ରହିବେ ।