ଝାରସୁଗୁଡା: ଏଥର ଓଡ଼ିଶା ଆଗୁଆ ନିର୍ବାଚନ ହୋଇପାରେ । ଏନେଇ ଧିରେ ଧିରେ ନିର୍ବାଚନ ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ କରାଯାଇଛି । ଗତକାଲି(ଶନିବାର) ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା DMF ହଲ ଠାରେ ମୁଁ ମିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର କଲେଜ ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଶେଷ ଭାବେ ନୂତନ ଭୋଟରଙ୍କୁ ସଚେତନ କରାଇବା, ଭୋଟର ଲିଷ୍ଟରେ ଯେଉଁମାନଙ୍କର ନାଁ ନାହିଁ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କରାଯାଉଛି ବୋଲି ଉପଜିଲ୍ଲାପାଳ କହିଥିଲେ ।
ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ କହିଛନ୍ତି, ‘‘ମିତା ହେଉଛି ଜନସାଧାରଣଙ୍କୁ ନିର୍ବାଚନ ପାଇଁ ସଚେତନ କରାଇବା ପ୍ରକ୍ରିୟା । ଏହି ପ୍ରକ୍ରିୟା ପାଇଁ ବିଭିନ୍ନ କଲେଜର 98 ଜଣ ଛାତ୍ରୀ ଚୟନ କରାଯାଇଛି । ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରିବା ପାଇଁ ସେମାନଙ୍କୁ ମିତାଙ୍କ ମୂଳ କାର୍ଯ୍ୟ । ମୁଖ୍ୟତଃ ଭୋଟର ତାଲିକାରେ ଥିବା ସଂଶୋଧନ ଯେପରିକି ମୃତ ଭୋଟରଙ୍କ ଅନାବଶ୍ୟକ ପଞ୍ଜିକରଣ, ଗୋଟିଏ ଭୋଟରଙ୍କ ଏକାଧିକ ଜାଗାରେ ପଞ୍ଜିକରଣ, ୨୦୨୪ ସୁଦ୍ଧା ଯୋଗ୍ୟ ଭୋଟରଙ୍କ ନୂଆ ପଞ୍ଜିକରଣ କରିବା ଉପରେ କାର୍ଯ୍ୟକରିବେ । ଏତଦବ୍ୟତୀତ ମିତା ଦିଦି ମାନଙ୍କୁ ‘ଭୋଟର ହେଲୋ ଲାଇନ ଆପ୍’ ଏବଂ “ ‘ଭୋଟର ସର୍ଭିସ ପୋର୍ଟାଲ’ ” ଉପରେ ଟ୍ରେନିଂ ପ୍ରଦାନ କରାଯିବ । ମିତା ଦିଦି ମାନେ ସ୍ୱେଚ୍ଛାସେବୀ ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ’’