ଝାରସୁଗୁଡ଼ା:ଜିଲ୍ଲାର କୁଦୋପାଳିରେ ବେଆଇନ ଭାବେ ତିଆରି ହୋଇଛି ଆଦିତ୍ୟ କନଷ୍ଟ୍ରକସନର ବେଚିଂ ପ୍ଲାଣ୍ଟ। ସରକାରୀ ଗ୍ରାମ୍ୟ ଜମିରେ ଏହି ପ୍ଲାଣ୍ଟ ତିଆରି ହୋଇଥିବା ବେଳେ ଏଥିପାଇଁ କିନ୍ତୁ କୌଣସି ଅନୁମତି ମିଳିନଥିଲା । 3 ବର୍ଷ ହେଲେଣି କୁଦୋପାଲିରେ ବେଆଇନ ଭାବରେ ଏହି ବେଚିଂ ପ୍ଲାଣ୍ଟ ବସାଯାଇ ଥିବାବେଳେ ପ୍ରଶାସନର ଏଥିପ୍ରତି ଜେମିତି ନିଘା ନଥିବା ପରି ମନେ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଏହି ଠିକା କମ୍ପାନୀ ଶହଶହ ଟ୍ରିପ ମୋରମ ଵେଆଇନ ଭାବରେ ଚାଲାଣ କରିଥିବାବେଳେ ନିଜର ବେଚିଂ ପ୍ଲାଣ୍ଟ ସ୍ଥାପନା ପାଇଁ ହାଜାରହଜାର ଗଛ କାଟି ଦେଇଛି । ହେଲେ ପ୍ରଶାସନ ପକ୍ଷରୁ ଏହି କମ୍ପାନୀକୁ ବନ୍ଦ କରିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ଏହି ପ୍ଲାଣ୍ଟକୁ ଶହଶହ ଯାନବାହାନ ପ୍ରତିଦିନ ଆସୁଥିବରୁ ଗ୍ରାମର ଗାଇଗୋରୁ ଦୁର୍ଘଟଣାର ଶିକାର ହେବା ସହ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେଣୁ ବେଆଇନ ଭାବରେ ତିଆରି ହୋଇଥିବା ଏହି ପ୍ଲାଣ୍ଟକୁ ଶୀଘ୍ର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏହି ବେଚିଂ ପ୍ଲାଣ୍ଟ ନିର୍ମାଣ ପାଇଁ ପଞ୍ଚାୟତକୁ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଇ ନଥିବା କୁଦୋପାଳି ସରପଞ୍ଚ କହିଛନ୍ତି । ବିନା ଅନୁମତିରେ ଏହା ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯିବ ବୋଲି କୁଦୋପାଳି ସରପଞ୍ଚ କହିଛନ୍ତି ।