ଝାରସୁଗୁଡ଼ା:ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଛି । ତତଲା କଡ଼େଇରେ ସିଝୁଛି ଓଡିଶା । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ଚିକିତ୍ସାଳୟରେ ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।
କ୍ୟାନସର ଚିକିତ୍ସା ପାଇଁ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରୁ ରୋଗୀ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ଚିକିତ୍ସାଳୟକୁ ଆସିଥାନ୍ତି । ତେବେ ଗ୍ରୀଷ୍ମ ପ୍ରବାହବେଳେ ରୋଗୀଙ୍କ ଆଟାଣ୍ଡେଣ୍ଟଙ୍କ ପାଇଁ କୌଣସି ପ୍ରକାର ଆନୁଷଙ୍ଗୀକ ବ୍ୟବସ୍ଥା ନଥିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । ଏପରିକି ନିକଟରେ ଅନେକ ରୋଗୀ ଚିକିତ୍ସାଳୟ ନିକଟରେ ଥିବା ଗଛମୂଳରେ ମଧ୍ୟ ଆଶ୍ରୟ ନେଇଥିବା ଖବର ସାମ୍ନାକୁ ଆସିଥିଲା ।