ଝାରସୁଗୁଡା: ଝାରସୁଗୁଡାରେ ଚାଲିଛି ରେଳବାଇ ଠିକାଦାରଙ୍କ ରାଜ୍ । ପ୍ରଶାସନର ନାକ ତଳେ ବେଧଡ଼କ ଭାବେ ଶହଶହ ମୂଲ୍ୟବାନ ଗଛ କାଟୁଛନ୍ତି । ଆଖିରେ ଆଙ୍ଗୁଠି ଗେଞ୍ଜି ବେଆଇନ ଭାବେ ହଜାର ହଜାର ଟ୍ରିପ୍ ମୋରମ ବୋହି ନେଉଛନ୍ତି ଠିକାଦାର । ଝାରସୁଗୁଡା ଜମେରା ପଞ୍ଚାୟତର ଜମୁଆ ଡୁଙ୍ଗୁରି ଉପରେ ଠାକିଦାରଙ୍କ ଏଭଳି ରାଜ୍ ଚାଲିଥିବା ଅଭିଯୋଗ ହୋଇଛି । ଝାରସୁଗୁଡା-ବିଳାସପୁର ମଧ୍ୟରେ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଠିକା କାମ ପାଇଥିବା ଠିକାଦାର ବେଧଡ଼କ ଭାବେ ମୂଲ୍ୟବାନ ଗଛ କାଟିବା ସହ ବେଆଇନ ଭାବେ ମୋରମ ଖନନ କରି ଚାଲାଣ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ । ଯାହାଫଳରେ ଜମୁଆ ଡୁଙ୍ଗୁରିର(ଛୋଟ ପାହାଡ) ଜୈବ ବିବିଧତା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଉଛି l
ଗତ ୬ ମାସ ଧରି ସମ୍ପୃକ୍ତ ଠିକାଦାର ଜମୁଆ ଡୁଙ୍ଗୁରିରୁ ବେଆଇନ ଭାବରେ ମୋରମ ଖନନ କରୁଛନ୍ତି । ଯାହାଫଳରେ ଡୁଙ୍ଗୁରିର ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଏବେ ଗାଡିଆ ପାଲଟିଛି । ଗ୍ରାମବାସୀମାନେ ଏହି ବେଆଇନ ମୋରୁମ ଚାଲାଣ ଦିଗରେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ l ବନ ବିଭାଗ ଏହା ରାଜସ୍ବ ବିଭାଗର କାର୍ଯ୍ୟ କହି ଚୁପ୍ ବସୁଥିବା ବେଳେ, ଅନୁରୂପ ଭାବେ ରାଜସ୍ବ ବିଭଗ ମଧ୍ୟ ବନ ବିଭାଗର କାର୍ଯ୍ୟ ବୋଲି ଭାବି ଅବହେଳା କରୁଛି । ଉଭୟ ବିଭାଗ ମଧ୍ୟରେ ସମନ୍ବୟରେ ଅଭାବ ଯୋଗୁଁ ଜମୁଆ ଡୁଙ୍ଗୁରେ ଏବେ ଧ୍ବଂସ ହେବାକୁ ବସିଛି ।