ଝାରସୁଗୁଡା:ମୁଦ୍ରା ଯୋଜନାରେ ଅତି ସହଜରେ ଋଣ ମିଳିବ । ମାତ୍ର ୧ ପ୍ରତିଶତ ସୁଧହାରରେ ଦିଆଯିବ ଲୋନ । ଆଉ ବିନା ଟେନସନରେ ମିଳିଯିବ ଲକ୍ଷଲକ୍ଷ ଟଙ୍କାର ଋଣ । ଅତି ସହଜରେ ଋଣ କରାଇଦେବା ଆଳରେ ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ଼ ଅଫିସର ଭାବରେ ପରିଚୟ ଦେଇ ଝାରସୁଗୁଡ଼ା ଜିଲ୍ଲାର ଆଖପାଖ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି । ଋଣ ଠକେଇ ମାମଲାରେ ସ୍ବାମୀ ସ୍ତ୍ରୀଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କୁଚିଣ୍ଡାର ଭୀମରାଜ ସୋନୀ ଓ ସୁଜାତା ପଟେଲ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସୁଜାତା ପଟେଲ ନିଜର ନକଲି ଆଇଡି କାର୍ଡ ତିଆରି କରି କୋଲାବିରା ଓ ଲାଇକେରା ଅଞ୍ଚଳର ବିଭିନ୍ନ ଗ୍ରାମ ବୁଲି ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ଼ ଅଫିସର ଭାବରେ ପରିଚୟ ଦେଇଥିଲେ l ଏସଏଚଜି ଗୃପର ମହିଳାଙ୍କୁ ମୁଦ୍ରା ଯୋଜନାରେ 1% ସୁଧ ହାରରେ ଲୋନ ଦିଆ ଯିବ କହିଥିଲେ l 80ହଜାର ଲୋନ ନେବା ପାଇଁ 31ଶହ ଟଙ୍କା ଏବଂ 40ହଜାର ପାଇଁ 15ଶହ 50ଟଙ୍କା ଦେବାକୁ ପଡ଼ିବ କହି ଫୋନ ପେ, ଗୁଗୁଲ ପେ ଏବଂ ବ୍ୟାଙ୍କ ଆକାଉଣ୍ଟରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇଥିଲେ । କିନ୍ତୁ ଟଙ୍କା ନେବା ପରେ ସୁଜାତା ମହିଳାମାନଙ୍କୁ ଯୋଗଯୋଗ କରି ନଥିଲେ କି ସେମାନଙ୍କ ଫୋନ ମଧ୍ୟ ଉଠାଇନଥିଲେ l ଯାହାଫଳରେ ସେମାନେ ଠକେଇର ଶିକାର ହୋଇଥିବା ଜାଣି କୋଲାବିରା ଓ ଲଇକେରା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଏନେଇ ମାମାଲା ରୁଜୁ କରି ତଦନ୍ତ କରିବାସହ ସୁଜାତା ପଟେଲ ଓ ତାଙ୍କ ସ୍ବାମୀ ଭୀମରାଜ ସୋନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତଙ୍କ ଠାରୁ 2 ଟି ମୋବାଇଲ ଫୋନ, ନକଲି ପରିଚୟ ପତ୍ର ଜବତ କରିବାସହ ସେମାନଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ କରିଛି l